ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ

ଚେନ୍ନାଇ: ତାମିଲନାଡୁର ତୁତିକରନ ବାପା ପୁଅ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ଥିବା ଜଣେ ପୁଲିସ ଅଧିକାରୀ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ମୃତ ପୁଲିସ୍‌ ଅଧିକାରୀ ଜଣଙ୍କ ହେଉଛନ୍ତି ୫୬ ବର୍ଷୀ ସବ ଇନସପେକ୍ଟର ପଲଦୁରାଇ।

ବ୍ୟବସାୟୀ ଜୟରାଜ ଓ ତାଙ୍କ ପୁଅ ବେନିକିସ୍‌ଙ୍କୁ ୧୦ ଜଣ ପୁଲିସ ଅଧିକାରୀ ଜୁନ୍‌ ୧୯ରେ ଗିରଫ କରି ଥାନାକୁ ଆଣିଥିଲେ। ଥାନାରେ ଥିବା ବେଳେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ତମ୍ଭିତୋଫାନ ଦେଖାଯିବାରୁ ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ମଧ୍ୟରେ ପଲଦୁରାଇ ଥିଲେ। ପଲଦୁରାଇ ବାପା ପୁଅଙ୍କୁ ମାଡ଼ ମାରିଥିବା ବେଳେ ଦୁଇ ଜଣ କନଷ୍ଟେବଲ ତାଙ୍କୁ ସହଯୋଗ କରିଥିଲେ।

ଜେଲରେ ଥିବା ବେଳେ ପଲଦୁରାଇ କରୋନାରେ ଆକ୍ରାନ୍ତ ହୋଇଥିଲା। ଗତମାସରେ ତାଙ୍କୁ ମଦୁରାଇ ସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। କରୋନାରେ ଆକ୍ରାନ୍ତ ହୋଇଥିବା ପଲଦୁରାଇଙ୍କର ଡାଏବେଟିସ ଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ