ନୂଆ କୃଷି ଆଇନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି, କଳାଧନ ସମ୍ପର୍କରେ ଦେଲେ ବୟାନ
ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ସରକାର ନୂଆ କୃଷି ବିଲ୍ ଆଣିବା ଦିନଠାରୁ ଏହାକୁ ବିଭିନ୍ନ ଚାଷୀ ସଂଗଠନ ଓ ବିରୋଧୀ ଦଳଗୁଡ଼ିକ ବିରୋଧ କରି ଚାଲିଛନ୍ତି। ଏହା ସତ୍ତ୍ୱେ ୩ଟି କୃଷି ବିଲ୍ ସଂସଦରେ ପାରିତ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଏହା ଆଇନରେ ପରିଣିତ ହୋଇଛି। କିନ୍ତୁ ଏହି ନୂଆ କୃଷି ଆଇନକୁ ଏବେ ବି ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି।
ଗତକାଲି କର୍ଣ୍ଣାଟକାରେ ବନ୍ଦ ପାଳନ କରାଯିବା ସହ ପଞ୍ଜାବରେ ଚାଷୀମାନେ ଧାରଣା ଦେଇଥିଲେ। ସେହିପରି ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଆଇନକୁ ବିରୋଧ କରି ବିକ୍ଷୋଭକାରୀ ଟ୍ରାକ୍ଟର ପୋଡ଼ି କରିଥିଲେ। ଏସବୁ ଭିତରେ ଆଜି ମୁହଁ ଖୋଲିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନୂଆ କୃଷି ବିଲ୍କୁ ବିରୋଧ କରୁଥିବା ବିରୋଧୀଦଳଗୁଡ଼ିକୁ ସେ ତୀବ୍ର ସମାଲୋଚନା କରିଛନ୍ତି। ମୋଦି କହିଛନ୍ତି, କୃଷି କାର୍ଯ୍ୟରେ ନିୟୋଜିତ ହେଉଥିବା ସାମଗ୍ରୀକୁ ପୋଡ଼ି ନିଜର କ୍ରୋଧ ପ୍ରକାଶ କରିବା ଠିକ୍ ନୁହେଁ। ଏଭଳି ପୋଡ଼ାଜଳା ଚାଷୀଙ୍କୁ ଅପମାନ। ବିରୋଧୀ ଦଳଗୁଡ଼ିକ ଟ୍ରାକ୍ଟର ପୋଡ଼ି ଚାଷୀଙ୍କୁ ଅପମାନିତ କରିଛନ୍ତି। କାରଣ ଚାଷକାମରେ ବ୍ୟବହୃତ ହେଉଥିବା ସାମଗ୍ରୀ ଓ ଯନ୍ତ୍ରାଂଶକୁ ଚାଷୀମାନେ ପୂଜା କରିଥାଆନ୍ତି।
ନମାନୀ ଗଙ୍ଗା ଅଧୀନରେ ୬ଟି ପ୍ରକଳ୍ପ ଉତ୍ତରାଖଣ୍ଡ ପାଇଁ ଉଦଘାଟନ କରିବା ଅବସରରେ ମୋଦି ଏଭଳି ବୟାନ ଦେଇଛନ୍ତି। ମୋଦି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଯେଉଁମାନେ ଏବେ ନୂଆ କୃଷି ବିଲ୍କୁ ବିରୋଧ କରୁଛନ୍ତି ସେମାନେ କ୍ଷମତାରେ ଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ସପକ୍ଷରେ କହୁଥିଲେ। ହେଲେ କେବେ ହେଲେ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି।
ଏମଏସ ସ୍ୱାମୀନାଥନ କମିଶନଙ୍କ ପରାମର୍ଶକ୍ରମେ ଆମର ଏନଡିଏ ସରକାର ଏମଏସପିକୁ କାର୍ଯ୍ୟକାରୀ କରିଛି। ଏମଏସପି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଚାଷୀଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛି। ମୁଁ ଆଉ ଥରେ ଏଠାରେ କହିବାକୁ ଚାହେଁ ଯେ ନୂଆ କୃଷି ବିଲ୍ ଦ୍ୱାରା ଚାଷୀମାନେ ନିଜ ଇଚ୍ଛାରେ ନିଜର ସାମଗ୍ରୀ ବିକ୍ରି କରିବା ସହ ଏମଏସପି ମଧ୍ୟ ସମାନ ଭାବେ ପାଇପାରିବେ।
କିଛି ଲୋକ ଚାଷୀଙ୍କୁ ମିଳିଥିବା ସ୍ୱାଧୀନତାକୁ ସହ୍ୟ କରିପାରୁ ନାହାନ୍ତି। ସେମାନେ ଏହାଦ୍ୱାରା କଳାଧନ ସଂଗ୍ରହ କରୁଥିଲେ। ନୂଆ ନିଷ୍ପତ୍ତି ଏହାକୁ ବନ୍ଦ କରିଦେଇଛି। କଳାଧନ ସଂଗ୍ରହ ପାଇଁ ଏହା ଗୋଟିଏ ବାଟ ରହିଥିଲା।
ସଂସଦର ମୌସୁମୀ ଅଧିବେଶନରେ କୃଷି, ଶ୍ରମିକ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଂସ୍କାର ବିଷୟରେ ଅନେକ ବିଲ୍ ଅଣାଯାଇଥିଲା। ଏହିସବୁ ନୂଆ ସଂସ୍କାର କେବଳ ଯୁବକ, ଚାଷୀ, ଶ୍ରମିକ ଓ ମହିଳାମାନଙ୍କୁ ଅଧିକ ସଶକ୍ତ କରିବ। କିନ୍ତୁ ଏଗୁଡ଼ିକୁ କେମିତି କିଛି ଲୋକ ବିରୋଧ କରିଥିଲେ, ସେକଥା ପୂରା ଦେଶ ଦେଖିଛି ବୋଲି ମୋଦି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।