ଚାଷୀ ଆନ୍ଦୋଳନ ସହ ରାମ ମନ୍ଦିରକୁ ଯୋଡ଼ିଲେ ଯୋଗୀ ଆଦିତ୍ୟନାଥ

ବରେଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ରାମ ମନ୍ଦିର ନିର୍ମାଣ ସହ ଯୋଡ଼ି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିରୋଧୀ ଚାଷୀଙ୍କ ଆନ୍ଦୋଳନରେ ତେଲ ଢାଳି ଏହାକୁ ଅଧିକ ଉସକାଉଛନ୍ତି। ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଥିବାରୁ ଏଥିରେ ରାଗି ଯାଇ ବିରୋଧୀ ଚାଷୀଙ୍କୁ ଆନ୍ଦୋଳନ ପାଇଁ ଭ୍ରମିତ କରୁଛନ୍ତି ବୋଲି ସେ କହିଛନ୍ତି।

ଆଜି ଉତ୍ତର ପ୍ରଦେଶର ବରେଲୀରେ ଚାଷୀଙ୍କୁ ବୁଝାଇବା ପାଇଁ ବିଜେପି ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ଯୋଗୀ କହିଛନ୍ତି, “ଭାରତକୁ ଗୋଟିଏ ଭାରତ, ଶ୍ରେଷ୍ଠ ଭାରତ ଭାବେ ଦେଖିବାକୁ ଚାହୁଁ ନଥିବା ଲୋକମାନେ ହିଁ ଦେଶରେ ବିବାଦ ସୃଷ୍ଟି କରୁଛନ୍ତି।

ମୁଁ ଦେଖିଛି ଗୋଟିଏ ଧାରଣା ଆରମ୍ଭ ହୋଇଥିଲା। ପ୍ରଥମେ ସେମାନେ ଏମଏସପି ଗ୍ୟାରେଣ୍ଟି କଥା କହିଥିଲେ। ସରକାର ଏମଏସପି ପ୍ରତ୍ୟାହାର ହେବନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତଥାପି କାହିଁକି କିଛି ଲୋକ ଚାଷୀଙ୍କୁ ଭ୍ରମିତ କରୁଛନ୍ତି? ଅଯୋଧ୍ୟାରେ ରାମ ମନ୍ଦିରକୁ କିଛି ଲୋକ ସହ୍ୟ କରିପାରୁ ନାହାନ୍ତି।

ଖାସ୍‌ ଏହି ରାଗ ପାଇଁ ସେମାନେ ଚାଷୀଙ୍କୁ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବ୍ୟ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ କରିଥିବାରୁ ସେମାନେ ଆଉ ନିଜ ରାଗକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି। ସେମାନେ ଚାଷୀଙ୍କୁ ଉସକାଇ ଦେଶରେ ହିଂସା ସୃଷ୍ଟି କରୁଛନ୍ତି।

ଯଦି ଆପଣ ଗୋଟିଏ ମିଛକୁ ଶହେ ଥର କହିବେ, ତା’ହେଲେ ଏହା ସତ ଭଳି ଲାଗିବ। ଚାଷୀଙ୍କୁ ସେଭଳି ମିଛ କୁହାଯାଉଛି। ସେମାନେ ଚାଷୀଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସୁ ବୋଲି ଚାହୁଁନାହାନ୍ତି। ସେମାନେ କେବଳ ନିଜର ରାଜନୀତିକ ରୁଟି ଶେକିବାକୁ ଚାହୁଁଥିବା ଯୋଗୀ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।