ଅକ୍ସଫୋର୍ଡ ଟିକାର ଖୁଚୁରା ଦର କେତେ, ସରକାର କେତେ ଟଙ୍କାରେ କିଣିବେ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ-ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହି ଟିକା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆଠାରୁ କିଣି ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩ କୋଟି ଲୋକଙ୍କୁ ମଗଣାରେ ପ୍ରଦାନ କରିବେ।

ଏସବୁ ଭିତରେ ଏହି ଟିକା ବିଶ୍ୱର ଅନ୍ୟ ସମସ୍ତ କରୋନା ଟିକା ଠାରୁ ଶସ୍ତା ବୋଲି ସେରମ ଦାବି କରିଛି। କିନ୍ତୁ ସରକାର ଏହାକୁ କେତେ ଟଙ୍କାରେ କିଣିବେ ଓ ଘରୋଇ ମାର୍କେଟରେ ଏହାକୁ ସେରମ ଖୁଚୁରା ଦରରେ କେତେ ଟଙ୍କାରେ ବିକ୍ରି କରିବ, ତା’ର ତଥ୍ୟ ସାମ୍ନାକୁ ଆସିଛି।

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦର ପୁନାୱାଲା କହିଛନ୍ତି, ଯଦି ସରକାର ଅନୁମତି ଦିଅନ୍ତି, ତା’ହେଲେ କୋଭିସିଲ୍ଡର ଗୋଟିଏ ଡୋଜ୍‌ର ମୂଲ୍ୟ ଖୁଚୁରା ମାର୍କେଟରେ ୧ ହଜାର ଟଙ୍କାରେ ବିକ୍ରି ହେବ। କିନ୍ତୁ ସରକାରଙ୍କୁ ଏହା ଡୋଜ୍‌ ପ୍ରତି ୨୦୦ ଟଙ୍କାରେ ବିକ୍ରି କରାଯିବ। ଏହି ମୂଲ୍ୟ ପ୍ରଥମ ୧୦୦ ମିଲିୟନ ଡୋଜ୍‌ ପାଇଁ ଲାଗୁ ହେବ। ଏହାପରେ ଟେଣ୍ଡରିଂ ହେବ ଓ ବିଭିନ୍ନ ଦରରେ ଟିକା ବିକ୍ରି କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଆମେ ସରକାରଙ୍କୁ ଏତେ କମ ଟଙ୍କାରେ ଟିକା ଗୋଟିଏ ଡୋଜ୍‌ ଯୋଗାଇ ଦେବା ପଛରେ ଯଥେଷ୍ଟ କାରଣ ରହିଛି। ସରକାର ଆମଠାରୁ ଟିକା କିଣିବା ପରେ ଭାରତୀୟମାନଙ୍କୁ ମାଗଣାରେ ଏହାର ଡୋଜ୍‌ ଦେବେ। କିନ୍ତୁ ଘରୋଇ ମାର୍କେଟରେ ଆମେ ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ ୧ହଜାର ଟଙ୍କା ରଖିଛୁ।

ଅର୍ଥାତ କୋଭିସିଲ୍ଡର ଦୁଇଟି ଡୋଜ୍‌ ନେବା ପାଇଁ ଜଣେ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ବର୍ତ୍ତମାନ ସେରମ ଇନଷ୍ଟିଚ୍ୟୁଟ ପାଖରେ ଟିକାର ୫୦ ମିଲିୟନ ଡୋଜ୍‌ ପ୍ରସ୍ତୁତ ହୋଇ ରହିଛି। ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଟିକାକରଣ ପାଇଁ ସବୁ ପ୍ରକାରର କାଗଜପତ୍ର କାମ ଶେଷ ହୋଇଯିବ। ଏହାପରେ ଟିକାକରଣ ଆରମ୍ଭ ହୋଇଯିବ। ଚଳିତ ମାସ ସୁଦ୍ଧା ଆମେ ୭୦ରୁ ୮୦ ମିଲିୟନ ଡୋଜ୍‌ ମାର୍କେଟକୁ ଛାଡ଼ିବାକୁ ପ୍ରସ୍ତୁତ ରହିଛୁ।

ସରକାର ଏବେ ଆମକୁ ଟିକାର ରପ୍ତାନୀ କିମ୍ବା ଘରୋଇ ମାର୍କେଟରେ ବିକ୍ରି କରିବାକୁ ଅନୁମତି ଦେଇନାହାନ୍ତି। ଅନୁମତି ମିଳିବା ପରେ ଆମେ ପରବର୍ତ୍ତୀ ପଦକ୍ଷେପ କଥା ଚିନ୍ତା କରିବୁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ଏକ ପ୍ରେସ୍ କନଫରେନ୍ସ DCGI ନିର୍ଦ୍ଦେଶକ ଭିଜି ସୋମାନୀ କୋଭିସିଲ୍ଡ ସହ କୋଭାକ୍ସିନ ଟିକାକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ସେ କହିଥିଲେ, ଉଭୟ ଭ୍ୟାକସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଏହାର ଜରୁରୀ ବ୍ୟବହାର କରାଯାଇପାରିବ। ଏହି ଦୁଇଟି ଯାକ ଭ୍ୟାକସିନକୁ ଦୁଇଟି ଲେଖାଏ ଡୋଜ୍ ଇଞ୍ଜେକ୍ସନ୍ ଆକାରରେ ଦିଆଯାଇପାରିବ। ଏହି ଦୁଇଟି ଭ୍ୟାକସିନକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ରଖାଯିବ।

DCGI ମୁତାବକ, ସେରମ ଇନଷ୍ଟିଚ୍ୟୁଟର ଭ୍ୟାକସିନର ଓଭରଅଲ୍ କ୍ଷମତା ୭୦.୪୨ ପ୍ରତିଶତ ଥିଲା। ଅନୁମତି ମିଳିଥିଲେ ହେଁ ସେରମ ଦ୍ୱାରା ପ୍ରସ୍ତୁତ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଏବେ ସାରା ଦେଶରେ ଜାରି ରହିବ। ଏହା ପୂର୍ବରୁ SEC ଜାନୁଆରୀ ୧ ତାରିଖରେ କୋଭିସିଲ୍ଡ ଓ ୨ ତାରିଖରେ କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ DCGIକୁ ସୁପାରିସ୍ କରିଥିଲା।

ସୂଚନାଯୋଗ୍ୟ, ଯେତେବେଳେ DCGI କୌଣସି ମେଡିସିନ୍, ଡ୍ରଗ୍, ଭ୍ୟାକସିନକୁ ଅନ୍ତିମ ଅନୁମତି ଦିଅନ୍ତି, ଏହାର ଅର୍ଥ ଏସବୁ ମେଡିସିନ୍, ଭ୍ୟାକସିନକୁ ସାର୍ବଜନୀନ ବ୍ୟବହାର କରାଯାଇପାରିବ। ତେବେ ଅନୁମୋଦନ ଦେବା ପୂର୍ବରୁ DCGI ଭ୍ୟାକସିନ୍ ଉପରେ ହୋଇଥିବା ପରୀକ୍ଷଣକୁ ଭଲ ଭାବେ ତର୍ଜମା କରିଥାଏ। 

ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ (AstraZeneca)/ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ଏହି କୋଭିସିଲ୍ଡ ଟିକା ପ୍ରସ୍ତୁତ ହୋଇଛି। ବ୍ରିଟେନ ସରକାର ମଧ୍ୟ ଏହି ଟିକାକୁ ଅନୁମତି ଦେଇସାରିଛନ୍ତି। ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ଏହା ମାତ୍ ଦେଇପାରିବ ବୋଲି କମ୍ପାନୀ ଦାବି କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।