କରୋନା ଟିକା କିଣିବାକୁ ଡିଲ୍‌ ଫାଇନାଲ, ଦାମ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ କିଣିବା ପାଇଁ ସେରମ ଇନଷ୍ଟିଚ୍ୟୁଟ ସହ ସବୁ ପ୍ରକାରର ଚୁକ୍ତି ଶେଷ କରିଛନ୍ତି ଭାରତ ସରକାର। କୋଭିସିଲ୍ଡ କିଣିବା ପାଇଁ ସରକାର ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲେ। କିନ୍ତୁ ଟିକାର ଗୋଟିଏ ଡୋଜ୍‌ର ମୂଲ୍ୟ କେତେ ରହିବ, ତା’କୁ ନେଇ ବେଶ କିଛିଦିନ ହେଲା ବୈଠକ ବସୁଥିଲା।

ଆଜି ବୈଠକରେ ସରକାର- ସେରମ ଇନଷ୍ଟିଚ୍ୟୁଟ ଠାରୁ କୋଭିସିଲ୍ଡର ଗୋଟିଏ ଡୋଜ୍‌କୁ ୨୦୦ ଟଙ୍କାରେ କିଣିବେ ବୋଲି ରାଜି ହୋଇଛନ୍ତି। ଜଣେ ବ୍ୟକ୍ତି ଟିକାର ଦୁଇଟି ଡୋଜ୍‌ ନେବେ। ଏହାର ଅର୍ଥ ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ୪ ଶହ ଟଙ୍କା ଖର୍ଚ୍ଚ କରିବେ। ଟିକା କିଣିବା ପାଇଁ ଆଜି ହିଁ ସରକାର ଅର୍ଡର ଦେବେ ବୋଲି ମଧ୍ୟ ଜଣାପଡ଼ିଛି।

ସେରମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀ ପକ୍ଷରୁ ଟିକାର ପ୍ରଥମ ୧୦୦ ମିଲିୟନ ଡୋଜ୍‌ ୨୦୦ ଲେଖାଏ ଟଙ୍କାରେ ସରକାରଙ୍କୁ ଦିଆଯିବ। ପ୍ରଥମ ଦଫାରେ ୧୧ ମିଲିୟନ ବା ନିୟୁତ ଡୋଜ୍‌ କମ୍ପାନୀ ସରକାରଙ୍କ ପାଖକୁ ପଠାଇବ। ଆଜି ରାତି କିମ୍ବା କାଲି ସକାଳୁ ସେରମର ପୁଣେ ସ୍ଥିତ କମ୍ପାନୀରୁ ଟିକାର ଡୋଜ୍‌ ଗୁଡ଼ିକ ସରକାରଙ୍କ ପାଖକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହେବ।

ସରକାର ଓ ସେରମ ମଧ୍ୟରେ ଟିକାର ଦରକୁ ଲିଖିତ ଭାବେ ଫିକ୍ସିଡ କରାଯାଇଛି। ଜାନୁଆରୀ ୧୬ରୁ ସରକାର ଟିକାକରଣ ଆରମ୍ଭ କରିବେ। ଏହାପରେ ମଧ୍ୟ କମ୍ପାନୀ ପକ୍ଷରୁ ନିୟମିତ ଭାବେ ଟିକା ଉତ୍ପାଦନ କରାଯାଇ ସରକାରଙ୍କୁ ଦିଆଯିବ। ପ୍ରତି ସପ୍ତାହରେ କିଛି କିଛି ମିଲିୟନ ଟିକା ପଠାଇବାକୁ ନିଷ୍ପତ୍ତି ହୋଇଛି। ପ୍ରାଥମିକ ଅବସ୍ଥାରେ ୧୧ ମିଲିୟନ ଟିକା ପଠାବ ବୋଲି କମ୍ପାନୀ ସୂତ୍ରରୁ ଜଣାପଡ଼ିଛି।

ଜାନୁଆରୀ ୩ରେ ଡିସିଜିଆଇ କୋଭିସିଲ୍ଡ ସହ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଅକ୍ସଫୋର୍ଡ–ଆଷ୍ଟ୍ରାଜେନେକା ମିଳିତ ଭାବେ କୋଭିସିଲ୍ଡକୁ ପ୍ରସ୍ତୁତ କରିଥିବା ବେଳେ ଏହାର ଉତ୍ପାଦନ ଦାୟିତ୍ୱ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ମିଳିଛି।

ସରକାର ପ୍ରଥମ ଦଫାରେ ୩୦୦ ନିୟୁତ ଲୋକଙ୍କ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୬୦୦ ନିୟୁତ ଟିକାର ଡୋଜ୍‌ ଦରକାର। ସେରମ ଏବେଠାରୁ ହିଁ ୫୦ ମିଲିୟନ ଡୋଜ୍‌ ଟିକା ପ୍ରସ୍ତୁତ କରି ରଖିଛି। ଟିକାର ରପ୍ତାନୀ ଉପରେ ଭାରତ ସରକାର କୌଣସି ରୋକ ଲଗାଇ ନାହାନ୍ତି।

କିନ୍ତୁ ବ୍ରାଜିଲ ୨ ମିଲିୟନ ସେରମ ଟିକା ଦେବାକୁ ଭାରତ ସରକାରଙ୍କୁ କହିଛି। ସେରମ ସିଧାସଳଖ ଏତେ ପରିମାଣର ଟିକା ବ୍ରାଜିଲକୁ ପଠାଇବା ପୂର୍ବରୁ ଭାରତ ସରକାରଙ୍କ ଅନୁମୋଦନ ନେବ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।