ପାକିସ୍ତାନକୁ ମିଳିଲା ବାସମତି ଚାଉଳର ଜିଆଇ ଟ୍ୟାଗ

ଇସଲାମାବାଦ: ବାସମତି ଚାଉଳର ଜିଆଇ ମାନ୍ୟତା ପାକିସ୍ତାନକୁ ମିଳିଛି। ତେବେ ଏଥିରେ ଆଦୌ ବ୍ୟସ୍ତ ନ ହେବାକୁ ବାସମତି ଚାଉଳ ରପ୍ତାନୀ କରୁଥିବା ଭାରତୀୟ ବିଶେଷଜ୍ଞମାନେ କହିଛନ୍ତି। ସେମାନେ କହିଛନ୍ତି ଯେ ଉଭୟ ପାକିସ୍ତାନ ଓ ଭାରତରେ ବାସମତି ଚାଉଳ ଉତ୍ପାଦିତ ହୋଇଥାଏ। ପାକିସ୍ତାନ ନିଜ ଦେଶରେ ଉତ୍ପାଦିତ କରୁଥିବା ବାସମତି ଚାଉଳ ପାଇଁ ଜିଆଇ ଟ୍ୟାଗ ପାଇଛି।  ଭାରତରେ ଉତ୍ପାଦିତ ଓ ରପ୍ତାନୀ ହେଉଥିବା ବାସମତି ଚାଉଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେମାନେ କହିଛନ୍ତି।

ଜାନୁଆରୀ ୨୭ରେ ପାକିସ୍ତାନ କର୍ମସ ପରାର୍ମଶଦାତା ଅବଦୁଲ ରଜାକ ଦାଉଦ ଟ୍ୱିଟ କରି ପାକିସ୍ତାନ ବାସମତି ଚାଉଳର ଜିଆଇ ମାନ୍ୟତା ପାଇଥିବା ସୂଚନା ଦେଇଥିଲେ। ଏହାପରେ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚର ଡେପୁଟି ଡିଜି ଅଶୋକ କୁମାର ସିଂହ କହିଛନ୍ତି, ୧୯୪୭ ପୂର୍ବରୁ ଆମେ ଏକ ଥିଲୁ। ଉଭୟ ଦେଶରେ ବାସମତି ଚାଉଳ ଉତ୍ପାଦିତ ହେବା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି।

ଭାରତରେ ଆମେ ୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବାସମତି ଚାଉଳ ଉତ୍ପାଦନ କରୁଛୁ। ପାକିସ୍ତାନରେ ମଧ୍ୟ ନିଜସ୍ୱ ବାସମତି ଚାଉଳ ପାଇଁ ଜମି ରହିଛି। ଭାରତ କେବେ ହେଲେ ପାକିସ୍ତାନ ସହ ବାସମତି ଚାଉଳର ଜିଆଇ ଟ୍ୟାଗ ପାଇଁ ଲଢ଼େଇ କରିନି। ଅନ୍ତର୍ଜାତୀୟ ସ୍ତରରେ ଜିଆଇ ଟ୍ୟାଗ ପାଇଁ ଆବେଦନ କରିବା ପୂର୍ବରୁ ପ୍ରଥମେ ନିଜ ଦେଶରେ ଜିଆଇ ଆଇନ ପ୍ରଣୟନ କରିବାକୁ ପଡ଼େ।

ପାକିସ୍ତାନରେ ଏଯାଏ ଜିଆଇ ଆଇନ ନଥିଲେ। ନିକଟରେ ସେମାନେ ଏହି ଆଇନକୁ କାର୍ଯ୍ୟକାରୀ କରି ବାସମତି ଚାଉଳର ଜିଆଇ ଟ୍ୟାଗ ପାଇଁ ଆବେଦନ କରିଥିଲେ। ଏଥିପାଇଁ ସେମାନଙ୍କୁ ତାଙ୍କ ଦେଶରେ ଉତ୍ପାଦିତ ହେଉଥିବା ବାସମତି ପାଇଁ ଜିଆଇ ମାନ୍ୟତା ମିଳିଛି।

ପାକିସ୍ତାନ ଏବେ ଭାରତକୁ ଅନୁସରଣ କରୁଛି। ଭାରତ ୨୦୦୧ରେ ଜିଆଇ ଆଇନ ପ୍ରଣୟନ କରିଥିଲା। ୨୦୦୮ରେ ଜିଆଇ ଟ୍ୟାଗ ପାଇଁ ଆବେଦନ କରିଥିଲା। ତେଣୁ ଭାରତ ପାକିସ୍ତାନ ଠାରୁ ଯଥେଷ୍ଟ ଆଗରେ ରହିଛି। ଭାରତକୁ ମଧ୍ୟ ବାସମତି ଚାଉଳ ପାଇଁ ଜିଆଇ ମାନ୍ୟତା ମିଳିବ। ଏଥିରେ ଆଦୌ ବ୍ୟସ୍ତ ହେବାର କିଛି ନାହିଁ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।