ପାକିସ୍ତାନରେ ଭୟଙ୍କର ଦୃଶ୍ୟ; ମେଡିକାଲ ଛାତ ଉପରେ ଶତାଧିକ ମୃତଦେହ

ଇସଲାମବାଦ: ହସ୍ପିଟାଲ ଛାତ ଉପରେ ତଥା ବ୍ୟବଚ୍ଛେଦ ଗୃହରେ ଏଣେତେଣେ ପଡ଼ି ରହିଛି ଶତାଧିକ ମୃତଦେହ। ସେଥିମଧ୍ୟରୁ ଅଧିକାଂଶ ନଷ୍ଟ ହେବାକୁ ବସିଥିବା ବେଳେ ଆଉ କେତେକ ମୃତଦେହର ବିଭିନ୍ନ ଅଙ୍ଗ ଗାଏବ ହୋଇଯାଇଛି। ଏପରିକି ଉଭୟ ପୁରୁଷ ଓ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ି ରହିଛି। ଏପରି ଭୟଙ୍କର ଦୃଶ୍ୟ ପାକିସ୍ତାନର ମୁଲତାନର ନିଶାର ଡାକ୍ତରଖାନାରେ ଦେଖିବାକୁ ମିଳିଛି। ପାକିସ୍ତାନର ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତାରିକ ଜମାନ ଗୁଜାର ଏପରି ଚାଞ୍ଚଲ୍ୟକର ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିବା ପରେ ଏହାକୁ ନେଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି।

ତାରିକ ଜମାନ ଗୁଜାରଙ୍କ କହିବାନୁଯାୟୀ, କିଛି ଦିନ ପୂର୍ବେ ମୁଁ ନିଶାର ଡାକ୍ତରଖାନା ଗସ୍ତରେ ଯାଇଥିଲେ। ସେଠାରେ ଜଣେ ବ୍ୟକ୍ତି ମୋ’ ପାଖକୁ ଆସି କହିଥିଲେ ଯେ ତୁମେ ଯଦି ଭଲ କାମ କରିବାକୁ ଚାହୁଁଛ ତେବେ ମର୍ଗକୁ ଯାଇ ଯାଞ୍ଚ କର। ମୁଁ ସେଠାରେ ପହଞ୍ଚିବା ପରେ କର୍ମଚାରୀମାନେ ଶବ ବ୍ୟବଚ୍ଛେଦ ପାଇଁ କବାଟ ଖୋଲିବାକୁ ପ୍ରସ୍ତୁତ ନ ଥିଲେ। । କବାଟ ନ ଖୋଲିଲେ ଏନେଇ ମାମଲା ରୁଜୁ କରାଯିବ ବୋଲି କହିବାରୁ ସେମାନେ କବାଟ ଖୋଲିଥିଲେ। ଏହାପରେ ଯାହା ଦେଖିଲି ମୋ ପାଦ ତଳୁ ମାଟି ଖସିଗଲା।

ସେ କହିଛନ୍ତି, ଯେତେବେଳେ ଶେଷରେ ମର୍ଗ ଖୋଲାଗଲା ସେଠାରେ ଶତାଧିକ ମୃତଦେହ ବିକ୍ଷିପ୍ତ ଭାବେ ଏଣେତେଣେ ପଡ଼ିଥିବାର ଦେଖିବାକୁ ପାଇଲି।  ସେମାନଙ୍କ ମଧ୍ୟରେ ପୁରୁଷ ଓ ମହିଳାଙ୍କ ମୃତଦହ ଥିବା ବେଳେ ତାହା ଉଲଗ୍ନ ଅବସ୍ଥାରେ ପଡ଼ି ରହିଥିଲା  । ଏନେଇ ସେଠାରେ କାର୍ଯ୍ୟରତ ଡାକ୍ତରଙ୍କୁ ପଚରାଯିବାରୁ ଡାକ୍ତରୀ ଛାତ୍ରମାନଙ୍କ  ଶିକ୍ଷାଗତ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଉଥିବା କହିଥିଲେ। ତେବେ ସେଥିରୁ ଅଧିକାଂଶଙ୍କର ବିଭିନ୍ନ ଅଙ୍ଗ କୁଆଡ଼େ ଗଲା ପଚରାଯିବାରୁ ସଠିକ୍ ଉତ୍ତର ଦେଇ ପାରି ନ ଥିଲେ। ଏପରିକି ଡାକ୍ତରୀ ଶିକ୍ଷାରେ ବ୍ୟବହାର ପରେ ମୃତଦେହକୁ ରୀତିନୀତି ଅନୁଯାୟୀ ସତ୍କାର କରା ନ ଯାଇ କାହିଁକି ଏଣେତେଣେ ଫୋପଡ଼ା ଯାଉଛି ବୋଲି ପଚରାଯିବାରୁ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ।

ଏହାପରେ ଛାତ ଉପରକୁ ଯିବାରୁ ସେଠାରେ ବି ବହୁ ମୃତଦେହ ବିକ୍ଷିପ୍ତ ଭାବେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ସେଥିରେ ପୋକ ଲାଗି ଯାଇଥିବା ବେଳେ ତା’ ଉପରେ ଶାଗୁଣା ବି ଉଡ଼ୁଥିଲେ।

ନିଶାର ମେଡିକାଲ ୟୁନିଭରସିଟିର ମୁଖପାତ୍ର ସାଜଜାଦ ମାସୁଦ ଏହାକୁ ହୃଦୟ ବିଦାରକ ଘଟଣା ବୋଲି କହିବା ସହ  ଏହା ପଛରେ ଥିବା ବ୍ୟକ୍ତିଙ୍କ  ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ସେ କହିଛନ୍ତି। ହେଲେ ଛାତ ଉପରେ କେବଳ ୪ଟି ମୃତଦେହ ପଡ଼ିଥିବା ବେଳେ ଡାକ୍ତରୀ ଶିକ୍ଷା ନିମନ୍ତେ ପ୍ରାକୃତିକ ଭାବେ ଶୁଖିବା ପାଇଁ ଛଡ଼ାଯାଇଥିବା ସେ କହିଛନ୍ତି।

ଏହି ଘଟଣା ପ୍ରଚାରିତ ହେବା ପରେ ନିଶାର ମେଡିକାଲ ସମେତ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।