କରୋନାରୁ ମୁକୁଳିଥିବା ରୋଗୀ କହିଲେ ସୁସ୍ଥ ରହିବାର ଫର୍ମୁଲା

ୱାଶିଂଟନ: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଜଣେ ଆମେରିକୀୟ ମହିଳା ଲୋକଙ୍କୁ ଆଜି ତାଙ୍କ ସହ ଘଟିଥିବା କାହାଣୀ ସମ୍ପର୍କରେ ଅବଗତ କରାଇଛନ୍ତି। ଏଥିସହ କରୋନା ଭାଇରସ ସହ ଲଢ଼େଇ କରିବାର ମନ୍ତ୍ର ମଧ୍ୟ ସେ ଲୋକମାନଙ୍କୁ ଦେଇଛନ୍ତି।

କରୋନା ଏକ ଭୟଙ୍କର ଭାଇରସ। ହେଲେ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ଏହି ମହିଳା ଜଣଙ୍କ ନାଁ ଏଲିଜାବେଥ। ତାଙ୍କ ବୟସ ୩୭। ସେ ଆମେରିକାର ୱାଶିଂଟନରେ ରହିବା ସମୟରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ।

ବାଓ ଇଞ୍ଜିନିୟରିଂରେ ପିଏଚଡି କରିଥିବା ଏଲିଜାବେଥ ଲୋକଙ୍କ ମନରେ କରୋନାକୁ ନେଇ ସୃଷ୍ଟି ହୋଇଥିବା ଭୟକୁ ଦୂର କରିବା ପାଇଁ ନିଜ ସହ ଘଟିଥିବା ଘଟଣା ସମ୍ପର୍କରେ କହିଛନ୍ତି। ସେ ଘର ମଧ୍ୟରେ ଏକାକୀ ରହି କରୋନା ଭାଇରସ ସହ ଲଢ଼େଇ କରିଥିଲେ ଏବଂ ଏଥିରୁ ମୁକୁଳିଥିଲେ ବୋଲି କହିଛନ୍ତି।

କରୋନାରେ ଆକ୍ରାନ୍ତ ହେଉଥିବା ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ। ପ୍ରଚୁର ପାଣି ପିଅନ୍ତୁ ଓ ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରଖନ୍ତୁ ବୋଲି ସେ କହିଛନ୍ତି। ଫେବୃଆରୀ ୨୫ରେ ଏଲିଜାବେଥ ପ୍ରଥମେ ଅସୁସ୍ଥ ଅନୁଭବ କରିଥିଲେ। ଏହାପୂର୍ବରୁ ସେ ଗୋଟିଏ ପାର୍ଟିରେ ଯୋଗଦେଇଥିଲେ। ସକାଳୁ ଉଠିବା କ୍ଷଣି ପ୍ରଥମେ ସେ ଦୁର୍ବଳ ଅନୁଭବ କରିଥିଲେ। ତେବେ ଏହା ସ୍ୱାଭାବିକ ଅଳସୁଆମୀ ବୋଲି ଭାବି ଏଲିଜାବେଥ ଏହାକୁ ଗୁରୁତ୍ୱ ଦେଇ ନଥିଲେ।

ଏହାପରେ ସେ ଅଫିସ ଯାଇ କାମ କରିବା ଆରମ୍ଭ କରିଥିଲେ। କିନ୍ତୁ ମଧ୍ୟାହ୍ଣ ବେଳକୁ ତାଙ୍କର ପ୍ରବଳ ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା। ଏଥିସହ ତାଙ୍କ ଦେହ ତାତିବା ସହ ସେ ଦୁର୍ବଳ ଅନୁଭବ କରିଥିଲେ। ଶେଷରେ ସେ ଅଧାରୁ ଅଫିସ ଛାଡ଼ିଥିଲେ। ଘରେ କିଛି ସମୟ ଶୋଇ ଉଠିବା ପରେ ତାଙ୍କ ଦେହର ତାପମାତ୍ରା ୧୦୪ ଡିଗ୍ରୀ ଥିବା ଜାଣିବାକୁ ପାଇଥିଲେ।

ଏହାପରେ ଫ୍ଲୁ ନିୟନ୍ତ୍ରଣ ପାଇଁ ସେ ମେଡିସିନ ଖାଇବା ସହ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜଣେ ବନ୍ଧୁଙ୍କୁ ମଧ୍ୟ ଡାକିଥିଲେ। ଧୀରେଧୀରେ ତାଙ୍କ ଜ୍ୱର ଭଲ ହେବା ଆରମ୍ଭ ହୋଇଥିଲା। ଏହି ଘଟଣା ପରେ ୱାଶିଂଟନରେ ହିଁ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ଖବର ତାଙ୍କ ପାଖରେ ପହଞ୍ଚିଥିଲା। ଏଲିଜାବେଥଙ୍କ କଫ କିମ୍ବା ଶ୍ୱାସରେ କୌଣସି ସମସ୍ୟା ନଥିବାରୁ ସେ କାହିଁକି କରୋନାରେ ଆକ୍ରାନ୍ତ ହେବେ ବୋଲି ଭାବି ନେଇଥିଲେ।

କିନ୍ତୁ ସେ କ୍ଲାନ୍ତ ଅନଭୁବ କରୁଥିଲେ। ନିଜର ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର ତାଙ୍କୁ ବିଶ୍ରାମ ଓ ପାଣି ପିଇବାକୁ କହିଥିଲେ। ଏହାର କିଛି ଦିନ ପରେ ସେ ଯେଉଁ ପାର୍ଟିରେ ଯୋଗଦେଇଥିଲେ ସେମାନଙ୍କ ଶରୀରରେ ମଧ୍ୟ ସମାନ ଫ୍ଲୁ ଲକ୍ଷଣ ଦେଖାଦେଇଥିବା ଜାଣିଥିଲେ।

ଫଳରେ କରୋନାକୁ ନେଇ ତାଙ୍କ ମନରେ ସନ୍ଦେହ ବଢ଼ିଥିଲା। ତଥାପି ସେ ନିଜର କରୋନା ପରୀକ୍ଷା କରି ନଥିଲେ। ଏକ ରିସର୍ଚ୍ଚ ସଂସ୍ଥା ତାଙ୍କୁ ନାକର ସ୍ୱାବକୁ ପରୀକ୍ଷା ପାଇଁ କିଟ୍‌ ଦେଇଥିଲା। ଏହି ପରୀକ୍ଷାର କିଛି ଦିନ ପରେ ମାର୍ଚ୍ଚ ୭ରେ ତାଙ୍କ ପାଖକୁ ଗୋଟିଏ ଫୋନ କଲ ଆସିଥିଲା ଓ ସେ କରୋନା ଭାଇରସରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା।

ଏହା ଶୁଣି ଏଲିଜାବେଥ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସାମନ୍ୟ ଥଣ୍ଡାରୁ କେମିତି କରୋନା ହେଲା ବୋଲି ସେ ଜାଣିପାରି ନଥିଲେ। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଗୋଟିଏ ଘରେ ଏକାକୀ ରହିବାକୁ ପରାମର୍ଶ ଦେଇଥିଲେ। ସେ ଏହାକୁ ପାଳନ କରିବା ସହ ୭ ଦିନ ଯାଏ ସମସ୍ତଙ୍କ ଠାରୁ ଅଲଗା ରହିଥିଲେ। ଏହି ସମୟରେ ସେ ପ୍ରଚୁର ପାଣି ପିଇବା ସହ ଅଧିକ ବିଶ୍ରାମ ନେଇଥିଲେ। ଶେଷରେ ସେ ସୁସ୍ଥ ହୋଇଥିବା ସାରା ବିଶ୍ୱକୁ ଜଣାଇଛନ୍ତି। ସୁସ୍ଥ ହୋଇଥିଲେ ହେଁ ସେ ଅଧିକ ଭିଡ଼ ଥିବା ସ୍ଥାନକୁ ଯାଉନାହାନ୍ତି ଏବଂ ଘରୁ ରହି କାମ କରୁଛନ୍ତି। ତେଣୁ ସେ ସମସ୍ତଙ୍କୁ ଅସୁସ୍ଥ ଅନୁଭବ କଲେ ଯଥା ସମ୍ଭବ ଘରେ ରୁହନ୍ତୁ ଓ ପାଣି ପିଅନ୍ତୁ ବୋଲି କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।