ନିର୍ଭୟା ଦୋଷୀଙ୍କ ଫାଶୀ ଆଉ ପାଦେ ଆଗେଇଲା, ପବନର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି। ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟା କାଣ୍ଡର ୪ର୍ଥ ଦୋଷୀ ପବଦ ଗୁପ୍ତା କରିଥିବା ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି। ପୂର୍ବରୁ ଅନ୍ୟ ୩ ଦୋଷୀଙ୍କ ରାଜକ୍ଷମା ଆବେଦନ ଖାରଜ ହୋଇସାରିଛି।

ତେଣୁ ପଟିଆଲା ହାଉସ କୋର୍ଟ ଜାରି କରିଥିବା ଡେଥ ୱାରେଣ୍ଟ ଅନୁଯାୟୀ, ଆସନ୍ତାକାଲି ୪ ଦୋଷୀଙ୍କୁ ଏକକାଳୀନ ଫାଶୀ ଦେବାର ରାସ୍ତା ଧୀରେଧୀରେ ସ୍ପଷ୍ଟ ହେଉଛି। ତଥାପି ଆଇନରେ ଥିବା ଗଳା ବାଟକୁ ବ୍ୟବହାର କରି ଦୋଷୀମାନେ ନୂଆ ଭେଳିକି ଦେଖାଇ ଫାଶୀ ତାରିଖକୁ ଘୁଞ୍ଚାଇବାର ଆଶଙ୍କା ମଧ୍ୟ ରହିଛି।

ଆଜି ମଧ୍ୟାହ୍ଣରେ ସୁପ୍ରିମକୋର୍ଟ ପ୍ରଥମେ ପବନ ଦ୍ୱାରା ଆଗତ କ୍ୟୁରେଟିଭ ପିଟିସନକୁ ଖାରଜ କରିଥିଲେ। ସେ ଏଥିରେ ତା’କୁ ମିଳିଥିବା ଫାଶୀଦଣ୍ଡକୁ ଆଜୀବନରେ ପରିଣତ କରିବାକୁ ନିବେଦନ କରିଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।

କ୍ୟୁରେଟିଭ ପିଟିସନ ଖାରଜ ହୋଇଥିଲେ ହେଁ ପବନର ଓକିଲ ପଟିଆଲା ହାଉସ କୋର୍ଟରେ ପହଞ୍ଚି ଫାଶୀ ତାରିଖ ଘୁଞ୍ଚାଇବାକୁ ଦାବି କରିଥିଲେ। ହେଲେ କୋର୍ଟ ଏହାକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ। ଶେଷରେ ପବନ ତରବରିଆ ଭାବେ ରାଜକ୍ଷମା ଆବେଦନ କରିଥିଲା।

ହେଲେ ମାତ୍ର ୨ ଘଣ୍ଟା ମଧ୍ୟରେ ଏହି ଫାଇଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ପହଞ୍ଚିଥିଲା। ରାଷ୍ଟ୍ରପତି କାଳ ବିଳମ୍ବ ନ କରି ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ତେଣୁ ଏବେ ପବନ ପାଖରେ କେବଳ ସୁପ୍ରିମକୋର୍ଟରେ ରାଜକ୍ଷମା ଖାରଜ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର ବିକଳ୍ପ ରହିଛି।

ଏଥିସହ ପଟିଆଲା ହାଉସ କୋର୍ଟ ମଧ୍ୟ ଫାଶୀ ତାରିଖ ଉପରେ ଚୂଡ଼ାନ୍ତ ଶୁଣାଣି କରିବାର ଅଛି। ଯଦି ଆଜି ସବୁ ଆଇନଗତ ପ୍ରକ୍ରିୟା ଶେଷ ହୋଇଯିବ, ତା’ହେଲେ କାଲି ସକାଳ ୬ଟାରେ ପବନ ସହ ମୁକେଶ, ବିନୟ ଓ ଅକ୍ଷୟକୁ ଫାଶୀ ଖୁଣ୍ଟରେ ଝୁଲାଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।