୧୫ ବର୍ଷ ରହିଲେ କଶ୍ମୀରର ସ୍ଥାନୀୟ ବାସନ୍ଦା ଭାବେ ଗଣାହେବେ

ଶ୍ରୀନଗର: ଯଦି କୌଣସି ବ୍ୟକ୍ତି ଅତି କମରେ ୧୫ ବର୍ଷ ଧରି ଜମ୍ମୁ-କଶ୍ମୀରରେ ରହୁଥିବେ, ତା’ହେଲେ ତାଙ୍କୁ ଉକ୍ତ କେନ୍ଦ୍ର ଶାସିତ ଅଞ୍ଚଳର ସ୍ଥାୟୀ ବାସିନ୍ଦା ଭାବେ ଗଣାଯିବେ। ଏଭଳି ଏକ ବିଜ୍ଞପ୍ତି କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଏବଂ ଏହାକୁ ଦୁଇ ଭାଗ କରିବାର ଦୀର୍ଘ ୮ ମାସରୁ ଅଧିକ ଦିନ ପରେ କେନ୍ଦ୍ର ସରକାର ସ୍ଥାନୀୟ ବାସିନ୍ଦା ଚିହ୍ନଟ ପାଇଁ ଏଭଳି ନିୟମ ପ୍ରଣୟନ କରିଛନ୍ତି।

ଜମ୍ମୁ-କଶ୍ମୀର ସିଭିଲ ସର୍ଭିସେସ (ଡିସେଣ୍ଟ୍ରାଲାଇଜେସନ ଓ ନିୟୁକ୍ତି) ଆଇନ ଅନୁଯାୟୀ, ଯଦି କଶ୍ମୀରରେ କୌଣସି ୧୫ ବର୍ଷ ରହିଥିବେ କିମ୍ବା ସାତ ବର୍ଷ ଧରି ଏଠାରେ ପାଠପଢ଼ିଥିବେ କିମ୍ବା ଏଠାରେ ଥିବା କୌଣସି ଶିକ୍ଷାନୁଷ୍ଠାନରେ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇଥିବେ, ତା’ହେଲେ ତାଙ୍କୁ ସ୍ଥାୟୀ ବାସିନ୍ଦା ଭାବେ ସ୍ୱୀକୃତି ମିଳିବ।

ଏହାପୂର୍ବରୁ ଜମ୍ମୁ-କଶ୍ମୀର ସମ୍ବିଧାନରେ ଥିବା ଧାରା ୩୫-ଏ ଅନୁଯାୟୀ, ସ୍ଥାନୀୟ ବାସିନ୍ଦା କିଏ ତା’ର ସଂଜ୍ଞା ନିରୁପଣ କରୁଥିଲା। ନୂଆ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଜମ୍ମୁ-କଶ୍ମୀରର ରିଲିଫ୍ ଏବଂ ପୁନର୍ବାସ କମିଶନରଙ୍କ ଦ୍ୱାରା ପ୍ରବାସୀ ଭାବରେ ପଞ୍ଜିକୃତ ହୋଇଥିବେ, ତା’ହେଲେ ତାଙ୍କୁ ମଧ୍ୟ ସ୍ଥାନୀୟ ବାସିନ୍ଦା ଭାବେ ଗଣାଯିବ।