ନୂଆ ସଂସଦ ପାଇଁ ଭୂମିପୂଜା କଲେ ମୋଦି, କିନ୍ତୁ କାମ ଆରମ୍ଭ ହେବ ତ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ପାଇଁ ଆଜି ଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିଛନ୍ତି। ବହୁ ପ୍ରତିକ୍ଷୀତ ସେଣ୍ଟ୍ରାଲ ଭିସ୍ତା ଅଧୀନରେ ନୂଆ ସଂସଦ ଭବନର ନିର୍ମାଣ କାମ ହେବ। ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଧର୍ମଗୁରୁମାନେ ଯୋଗଦେଇଥିଲେ।

ତେବେ ମୋଦି ଆଜି ଜାକଜମକରେ ସଂସଦ ଭବନ ପାଇଁ ଭୂମିପୂଜା କରିଥିଲେ ହେଁ ଏହାର ନିର୍ମାଣ କାମ ଆରମ୍ଭ ହୋଇପାରିବ ନାହିଁ। କାରଣ ନିକଟରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପର ନିର୍ମାଣ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ସେଣ୍ଟ୍ରାଲ ଭିସ୍ତା ବିରୋଧରେ ଆଗତ ମାମଲାର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଏଥିସହ ଏହି ପ୍ରକଳ୍ପ ଅଧୀନରେ ଚୂଡ଼ାନ୍ତ ରାୟ ନ ଆସିବା ଯାଏ କୌଣସି ନିର୍ମାଣ କିମ୍ବା ଉଚ୍ଛେଦ କାମ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ମୋଦି ନିର୍ମାଣ ପାଇଁ ବିଧିବଦ୍ଧ ଶିଳାନ୍ୟାସ କରିଥିଲେ ହେଁ ସଂସଦ ଭବନର ତିଆରିକାମ ଏବେ ଆରମ୍ଭ ହୋଇପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ମଧ୍ୟ କେବଳ ଶିଳାନ୍ୟାସ କରିବେ ବୋଲି ସତ୍ୟପାଠ ଆକାରରେ କୋର୍ଟଙ୍କୁ ଅବଗତ କରାଇଥିଲେ।

ଆଜି ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ୬ ଜଣ ବ୍ରାହ୍ମଣ ସଂସ୍କୃତରେ ମନ୍ତ୍ର ଉଚ୍ଚାରଣ କରିଥିଲେ। ସେହିପରି ଗୋଟିଏ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨୦୦ ଜଣ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏମାନଙ୍କ ମଧ୍ୟରେ ସଂସଦ ଭବନର ନିର୍ମାଣ ଦାୟିତ୍ୱ ନେଇଥିବା ଟାଟାର ମୁଖ୍ୟ ରତନ ଟାଟା ବି ରହିଥିଲେ।

ପ୍ରସ୍ତାବିତ ୪ ତାଲା ବିଶିଷ୍ଟ ନୂଆ ସଂସଦ ଭବନ ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୨ ଅଗଷ୍ଟ ସୁଦ୍ଧା ଏହାର ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ସୁପ୍ରିମକୋର୍ଟ ନିର୍ମାଣ କାମ ଉପରେ ରୋକ ଲଗାଇଥିବାରୁ ଏହା କେବେ ଶେଷ ହେବ, ତା’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ନୂଆ ସଂସଦ ଭବନର ଲୋକସଭାରେ ୮୮୮ଟି ସିଟ୍‌ ରହିବ। ସେହିପରି ରାଜ୍ୟସଭାରେ ୩୨୬ରୁ ଅଧିକ ଆସନର ବ୍ୟବସ୍ଥା କରାଯାଇଛି। ଗୋଟିଏ ଥରରେ ୧୨୨୪ ଜଣ ସଦସ୍ୟ ବସିବା ଭଳି ବ୍ୟବସ୍ଥା ଲୋକସଭା ହଲ୍‌ରେ କରାଯାଇଛି। ଅନ୍ୟପକ୍ଷରେ ନୂଆ ସଂସଦ ଭବନ ଅତ୍ୟନ୍ତ ଭବ୍ୟ ଓ ସ୍ୱତନ୍ତ୍ର ଭାବେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର ଅଫିସ ସହ ପେପର ଲେସ୍‌ ବ୍ୟବସ୍ଥା ପାଇଁ ଅତ୍ୟାଧୁନିକ ଟେକ୍ନୋଲଜିର ବ୍ୟବହାର କରାଯିବ। ଏହାବାଦ ଏଠାରେ ସାମ୍ବିଧାନିକ ହଲ, ସାଂସଦଙ୍କ ପାଇଁ ଲନ, ମଲ୍ଟି କମିଟି ରୁମ, ଡାଇନିଂ ଅଞ୍ଚଳ, ପାର୍କିଂ ଓ ଲାଇବ୍ରେରୀ ସୁବିଧା ରହିବ।

ପୁରୁଣା ସଂସଦ ଭବନ ପରିସରରେ ଥିବା ୫ ଜଣ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ନୂଆ ବିଲଡିଂରେ ସ୍ଥାପନ କରାଯିବ। ଏହା ମଧ୍ୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୬ ଫୁଟ ଉଚ୍ଚ ମୂର୍ତ୍ତି ରହିଛି। ଏହାକୁ ରାମ ସୁତାର ୧୯୯୩ ମସିହାରେ ନିର୍ମାଣ କରିଥିଲେ। ନୂଆ ସଂସଦ ଭବନର ନିର୍ମାଣ କାମ ୨୧ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନର ସଂସଦ ଭବନକୁ ମ୍ୟୁଜିୟମ କରାଯିବ ବୋଲି ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।