ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଅହମଦାବାଦ: ଗୁଜରାଟର ଗିର ସୋମାନାଥ ଜିଲ୍ଲା ଅନ୍ତର୍ଗତ ପ୍ରଭାସ ପାଟନ ସହରରେ ଥିବା ବିଶ୍ୱର ପ୍ରସିଦ୍ଧ ସୋମନାଥ ମନ୍ଦିର ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ଏହି ପଦରେ ଅବସ୍ଥାପିତ ହୋଇଛନ୍ତି।

ମୋଦି ଶ୍ରୀ ସୋମନାଥ ଟ୍ରଷ୍ଟ ଜଣେ ସାଧାରଣ ଟ୍ରଷ୍ଟି ଥିଲେ। ହେଲେ ସୋମବାର ସର୍ବସମ୍ମତିକ୍ରମେ ତାଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ମୋଦିଙ୍କ ପୂର୍ବରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାଜୀ ଦେଶାଇ ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଥିଲେ। ତାଙ୍କ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏହାର ଅଧ୍ୟକ୍ଷ କରାଯାଇ ନଥିଲା। ହେଲେ ମୋଦି ଆଜି ଦେଶାଇଙ୍କ ସମକକ୍ଷ ହୋଇଛନ୍ତି। ଟ୍ରଷ୍ଟର ୮ମ ଅଧ୍ୟକ୍ଷ ଭାବେ ମୋଦି ଏହି ପଦରେ ବସିବାକୁ ଯାଉଛନ୍ତି।

ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପଦ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିଲା। ଗତବର୍ଷ ଅକ୍ଟୋବର ମାସରେ ତାଙ୍କର ଦେହାନ୍ତ ହୋଇଥିଲା। ୨୦୦୪ରୁ ୨୦୨୦ ଦୀର୍ଘ ୧୬ ବର୍ଷ ଧରି ସେ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।

ସୋମନାଥ ମନ୍ଦିର ଟ୍ରଷ୍ଟର ଅନ୍ୟ ଟ୍ରଷ୍ଟିମାନେ ହେଲେ ବିଜେପି ଭେଟରାନ ଏଲକେ ଆଡଭାନୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଗୁଜରାଟର ମେଧାବୀ ଜେପି ପରମର ଓ ବ୍ୟବସାୟୀ ହର୍ଷବର୍ଦ୍ଧନ ନେଓଟିଆ। ମୋଦିଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ କରିବାକୁ ଶ୍ରୀ ଶାହ ହିଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ଏହାକୁ ପରବର୍ତ୍ତୀ ଅବସ୍ଥାରେ ଅନ୍ୟ ଟ୍ରଷ୍ଟିମାନେ ସମର୍ଥନ କରିଥିଲେ। ଶେଷରେ ସର୍ବସମ୍ମତିକ୍ରମେ ସେ ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।