ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଚାଲିଲା ୮ ଟ୍ରେନ

ନୂଆଦିଲ୍ଲୀ: ଗୁଜରାଟର କେଭାଡିୟାରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟିକୁ ସଂଯୋଗ କରିବା ପାଇଁ ଆଜି ଦେଶର ବିଭିନ୍ନ ପ୍ରାନ୍ତରୁ ଏକକାଳୀନ ୮ଟି ଟ୍ରେନ୍‌ ଚଳାଚଳାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେଭାଡିୟାରେ ବିଶ୍ୱର ସବୁଠାରୁ ଉଚ୍ଚ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

ଏହି ପ୍ରତିମୂର୍ତ୍ତିକୁ ଷ୍ଟାଚ୍ୟୁ ଅଫ ୟୁନିଟ୍‌ର ମାନ୍ୟତା ମିଳିଛି। ଏଠାକୁ ଲୋକମାନେ କେମିତି ସହଜରେ ଯିବା ଆସିବା କରିପାରିବେ, ସେଥିପାଇଁ ଆଜି ମୋଦି ୮ଟି ଟ୍ରେନ୍‌ର ଚଳାଚଳ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

ଟ୍ରେନ ଚଳାଚଳକୁ ସବୁଜ ପତାକା ଦେଖାଇଥିବା ମୋଦି କହିଛନ୍ତି, ଟ୍ରେନ ଚଳାଚଳ ଦ୍ୱାରା କେଭାଡିୟାରେ ରହୁଥିବା ଆଦିବାସୀ ସଂପ୍ରଦାୟର ଲୋକଙ୍କ ଜୀବନ ଧାରଣର କ୍ଷମତାକୁ ବଦଳାଇ ଦେବ। ଷ୍ଟାଚ୍ୟୁ ଅଫ ୟୁନିଟିକୁ ଆସୁଥିବା ଲକ୍ଷଲକ୍ଷ ପର୍ଯ୍ୟଟକଙ୍କୁ ଏଭଳି ଟ୍ରେନ ଚଳାଚଳ ଫାଇଦା ଦେବ। ସ୍ଥାନୀୟ ଅଞ୍ଚଳର ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ସମ୍ଭବତଃ ଗୋଟିଏ ଥରରେ ଏତେ ସଂଖ୍ୟକ ଟ୍ରେନ୍‌ ଗୋଟିଏ ସ୍ଥାନ ପାଇଁ ଉଦଘାଟିତ ହେବା ପ୍ରଥମ ଘଟଣା ବୋଲି ସେ କହିଛନ୍ତି।

ଆଜି କେଭାଡିୟା-ବାରାଣସୀ ମହାମନନ ଏକ୍ସପ୍ରେସ(ସପ୍ତାହକୁ ଗୋଟିଏ ଦିନ), ଦାଦ୍ରା-କେଭାଡିୟା ଏକ୍ସପ୍ରେସ(ଦୈନିକ), ଅହମଦାବାଦ-କେଭାଡିୟା ଜନଶତାବ୍ଦୀ ଏକ୍ସପ୍ରେସ(ଦୈନିକ), ନିଜାମୁଦ୍ଦିନ-କେଭାଡିୟା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ(ସପ୍ତାହକୁ ଦୁଇ ଥର), କେଭାଡିୟା-ରେୱା ଏକ୍ସପ୍ରେସ(ସପ୍ତାହକୁ ଗୋଟିଏ ଦିନ), ଚେନ୍ନାଇ-କେଭାଡିୟା ଏକ୍ସପ୍ରେସ(ସପ୍ତାହକୁ ଥରେ), ପ୍ରତାପନଗର-କେଭାଡିୟା ଏମଇଏମୟୁ ଟ୍ରେନ (ଦୈନିକ) ଓ କେଭାଡିୟା-ପ୍ରତାପନଗର ଏମଇଏମୟୁ(ଦୈନିକ) ଟ୍ରେନ ଟ୍ରାକ୍‌ରେ ଗଡ଼ିବା ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।