ଜାମିଆ ହିଂସାକାରୀଙ୍କ ସୂଚନା ଦେଲେ ଲକ୍ଷେ ଟଙ୍କା

ନୂଆଦିଲ୍ଲୀ: ଜାମିଆ ନିକଟରେ ହିଂସାକାଣ୍ଡ ଭିଆଇଥିବା ୩ ଦୁର୍ବୃତ୍ତଙ୍କ ସମ୍ପର୍କରେ ତଥ୍ୟ ଦେଲେ ପୁଲିସ୍‌ ପକ୍ଷରୁ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ। ଗତବର୍ଷ ଡିସେମ୍ବର ମାସରେ ନ୍ୟୁ ଫ୍ରେଣ୍ଡସ କଲୋନୀରେ ହିଂସାକାଣ୍ଡ ହୋଇଥିଲା। ୩ ଜଣ ଦୁର୍ବୃତ୍ତ ଏଠାରେ କିଛି ଗାଡ଼ିକୁ ପୋଡ଼ି ଦେଇଥିଲେ। ଏବେ ସେମାନଙ୍କୁ ଧରିବାରେ ଫେଲ ମାରିଥିବା ଦିଲ୍ଲୀ ପୁଲିସ୍‌ ଲୋକଙ୍କ ସହଯୋଗ ଲୋଡ଼ିଛି।

ଯଦି କେହି ହିଂସାକାରୀଙ୍କ ସମ୍ପର୍କରେ ତଥ୍ୟ ଦେବ, ତା’ହେଲେ ତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ଭାବେ ଦିଆଯିବ ବୋଲି ଆଜି ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଘୋଷଣା କରାଯାଇଛି। ୨ ଜଣ ଦୁର୍ବୃତ୍ତ ଏକ ବାଇକ ଓ ସ୍କୁଟରରୁ ପେଟ୍ରୋଲ କାଢ଼ି ସର୍ବସାଧାରଣ ସମ୍ପତ୍ତି ପୋଡ଼ା ଜଳା କରିଥିବା ପୁଲିସ୍‌ କହିଛି। ଏଥିସହ ଆଉ ଜଣେ ଦୁର୍ବୃତ୍ତ ବସ୍ ଜାଳିଥିବାରୁ ତାଙ୍କ ସମ୍ପର୍କରେ ମଧ୍ୟ ଯେକୌଣସି ତଥ୍ୟ ଦେବାକୁ ପୁଲିସ୍ ଆହ୍ୱାନ କରିଛି।

ଏମାନଙ୍କୁ ପୁଲିସ୍‌ ଜାମିଆ ହିଂସାର ମୂଳ କାର୍ପଟଦାର ବୋଲି କହିବା ସହ ମୋଷ୍ଟ ୱାଣ୍ଟେଡ ଘୋଷଣା କରିଛି। ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ ଯଦି କେହି ଏହି ଅଚିହ୍ନା ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ବି ତଥ୍ୟ ପାଆନ୍ତି, ତା’ହେଲେ ସେମାନେ ତୁରନ୍ତ ଦକ୍ଷିଣ/ପୂର୍ବ ଜିଲ୍ଲାର ଡିସିପି କିମ୍ବା ଏସସିପି/କ୍ରାଇମବ୍ରାଞ୍ଚକୁ ଜଣାନ୍ତୁ। ବର୍ତ୍ତମାନ ଜାମିଆ ହିଂସାର ତଦନ୍ତ ଦିଲ୍ଲୀ କ୍ରାଇମବ୍ରାଞ୍ଚ କରୁଛି।”

ଡିସେମ୍ବର ୧୫ରେ ଜାମିଆ ନିକଟରେ ସିଏଏ ବିରୋଧୀ ଆନ୍ଦୋଳନ ହେଉଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ବ୍ୟାପକ ପୋଡ଼ା ଜଳା କରିଥିଲେ। ଏହାପରେ ପୁଲିସ୍‌ ଜାମିଆ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ଗୋରୁଗାଈଙ୍କ ଭଳି ପିଟିଥିଲା। ଏହାକୁ ନେଇ ସାରା ଦେଶରେ ଷ୍ଟୁଡେଣ୍ଟ ପାୱାର ଏକାଠି ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।