୭ ମାସର ଗର୍ଭବତୀ କଲେଜ ଛାତ୍ରୀଙ୍କୁ ସମସ୍ତଙ୍କ ଆଗରେ ନାଚିବାକୁ ବାଧ୍ୟ କଲେ କର୍ତ୍ତୃପକ୍ଷ

ରାୟପୁର: ଛତିଶଗଡ଼ରେ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯାହାକୁ ଜାଣିଲେ ସୋଲେ ଚଳଚ୍ଚିତ୍ରର ଗୋଟିଏ ଦେହ ଥରା ଦୃଶ୍ୟ ଆପଣଙ୍କ ମନକୁ ଚାଲିଆସିବ। ଏହି ବହୁଚର୍ଚ୍ଚିତ ହିନ୍ଦୀ ସିନେମାରେ ମୁଖ୍ୟ ଖଳନାୟକ ଗବର ସିଂ (ଅମଜାଦ୍‌ ଖାନ୍‌) କେମିତି ବସନ୍ତି(ହେମା ମାଳିନୀ)ଙ୍କୁ ନଚାଉଥିଲା ଦେଖିଥିବେ। ନିଜ ସ୍ୱାମୀଙ୍କୁ ବାନ୍ଧି ତାଙ୍କରି ଆଗରେ କାଚ ପକାଇ ବସନ୍ତିଙ୍କୁ ନାଚିବାକୁ ବାଧ୍ୟ କରିଥିବା ଗବର ସିଂଙ୍କ ଅଭିନୟ ଖୁବ୍‌ ଚର୍ଚ୍ଚା ହୋଇଥିଲା।

ଇଏତ ଥିଲା ସିନେମାର କାହାଣୀ। ହେଲେ ଏମିତି ଘଟଣା ସତର ରୂପ ବି ନେଇପାରେ ଭାବିଲେ ଦେହ ଶିତେଇ ଉଠିବ। ସୋଲେର ସେହି କରୁଣ ଦୃଶ୍ୟଠାରୁ ବି ଆହୁରୀ ଭୟଙ୍କର ଏହି ଘଟଣା। ଅନ୍ୟକୁ ଯନ୍ତ୍ରଣା ଦେଇ ନିଜେ ଖୁସି ହେବା ଲାଗି ମଣିଷ କେତେ ନିମ୍ନସ୍ତରକୁ ଖସିଯାଇପାରେ ତାର  ନଗ୍ନ ଉଦାହରଣ ଛତିଶଗଡ଼ର ସେଣ୍ଟ ହରକେବଲ ନାମକ ଏକ ଘରୋଇ ବିଏଡ୍ କଲେଜରେ ଘଟିଛି। ଏଠାରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କୁ କଲେଜରେ ନାଚିବା ପାଇଁ ବାଧ୍ୟ କରାଯିବା ଭଳି ଘଟଣା ଏବେ ଚହଳ ସୃଷ୍ଟି କରିଛି। ଯେଉଁଠି ଜଣେ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପରାମର୍ଶ ଦିଆଯାଏ, ସେଠାରେ ଏହି ଅମଣିଷମାନେ ତାକୁ ଜୋରଜବରଦସ୍ତ ନଚାଇଛନ୍ତି। ପ୍ରତିଭା ନାମକ ଜଣେ ଛାତ୍ରୀ ୨୦୧୭ ମସିହା ଅଗଷ୍ଟ ୧୭ ତାରିଖରେ ଏହି କଲେଜରେ  ଆଡମିଶନ୍ କରିଥିଲେ। ସେତେବେଳେ ପ୍ରତିଭା ୩ ମାସର ଗର୍ଭବତୀ ଥିଲେ।

ଆଡମିଶନ ବେଳେ ତାଙ୍କୁ ଏକ ସତ୍ୟପାଠରେ ଦସ୍ତଖତ ନିଆଯାଇଥିଲା। ସେଥିରେ ଲେଖାଥିଲା ଯେ, କୋର୍ସ ଭିତରେ ସେ ଡେଲିଭରି କରାଇପାରିବେ ନାହିଁ। କାରଣ କଲେଜରେ ଏକ ଅଜବ ନିୟମ ଥିଲା। ନିୟମଟି ହେଉଛି ଆଡମିଶନରୁ ୨ ବର୍ଷ ମଧ୍ୟରେ ଏକାଡେମିକ ପ୍ରୋଗ୍ରାମ ଭିତରେ କୌଣସି ମହିଳା ଗର୍ଭଧାରଣ କରିପାରିବେ ନାହିଁ।  ଆଉ ଏଥିରେ ବ୍ୟତିକ୍ରମ ହେବାରୁ ଗର୍ଭବତୀ ଅବସ୍ଥାରେ ତାଙ୍କୁ ନାଚିବା ପାଇଁ ବାଧ୍ୟ କରାଯାଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଅମ୍ବିକାପୁରର ନିବାସୀ ୨୪ ବର୍ଷୀୟା ପ୍ରତିଭା ଅଭିଯୋଗ କରିଛନ୍ତି ଯେ, ସେ  ନିୟମ ଉଲ୍ଲଂଘନ କରିବାରୁ କଲେଜ କର୍ତ୍ତପକ୍ଷ ତାଙ୍କୁ ପରୀକ୍ଷାରେ ନ ବସିବାକୁ ଧମକ ଦେଇଥିଲେ। ସେ କହିହିଛନ୍ତି ଯେ, ଅଧ୍ୟାପକମାନେ ତାଙ୍କୁ ସବୁବେଳେ ଅପମାନିତ କରନ୍ତି। କେବଳ ଏତିକି ନୁହେଁ ସେ ଯେତେବେଳେ ୭ମାସର ଗର୍ଭବତୀ ଥିଲେ ସେତେବେଳେ ତାଙ୍କର ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିଲା। ଅଧ୍ୟାପକମାନେ ପ୍ରତିଭାଙ୍କୁ ଜୋରଜବରଦସ୍ତ ନାଚିବାକୁ ବାଧ୍ୟ କରିଥିଲେ। ପ୍ରତିଭା  ସେମାନଙ୍କୁ ଅନେକଥର କହିଥିଲେ ଯେ, ସେ ୭ ମାସର ଗର୍ଭବତୀ। ତାଙ୍କୁ ନାଚିବାକୁ ବାଧ୍ୟ ନ କରାଯାଉ ବୋଲି ସେ ଅନୁରୋଧ କରିଥିଲେ।  କଲେଜ କର୍ତ୍ତୃପକ୍ଷଙ୍କଠାରେ ସେ, ଅନେକ କାକୁତି ମିନତି କରିଥିଲେ। ହେଲେ ସେମାନେ କିଛି ଶୁଣିଲେ ନାହିଁ। ଓଲଟା ପରୀକ୍ଷାରେ ନମ୍ବର କାଟିଦେବାର ଧମକ ଦେଇଥିଲେ। ତାଙ୍କୁ ପୂରା କ୍ଲାସ ପିଲାଙ୍କ ଆଗରେ ନାଚିବାକୁ ବାଧ୍ୟ କରାଯାଇଥିଲା। ଛୁଟି ମାଗିବାରୁ ମଧ୍ୟ ଧମକ ଦିଆଯାଇଥିଲା। ଏହାରି ଭିତରେ ପ୍ରତିଭା ମା’ ହୋଇସାରିଥିଲେ। ତେବେ ପ୍ରତିଭା ଡେଲିଭରି ହେବା ପର୍ଯ୍ୟନ୍ତ ଲଗାତାର କ୍ଲାସ ଯାଇଥିଲେ।

ପରୀକ୍ଷାରେ ବସିବା ପାଇଁ ତାଙ୍କର ୯୪ ପ୍ରତିଶତ ଉପସ୍ଥାପନ ମଧ୍ୟ ଥିଲା। କିନ୍ତୁ ସେ ପିଲା ଜନ୍ମ ଦେଇସାରିବା ପରେ ଯେତେବେଳେ ଛୁଟି ମାଗିଲେ ତାଙ୍କୁ ପରୀକ୍ଷାରେ ବସାଇ ନଦେବାର ଧମକ ଦିଆଗଲା। ପ୍ରତିଭା କହିଛନ୍ତି, “ମୁଁ ମୋ ମାତାପିତାଙ୍କୁ କଲେଜରେ ଛୁଟି ଦରଖାସ୍ତ ଦେବାକୁ କହିଲି। ହେଲେ କଲେଜର ଅଧ୍ୟକ୍ଷ ଅଞ୍ଜନ ସିଂ ମନା କରିଥିଲେ। ଏହାପରେ ମୁଁ ନିଜେ ଅଧ୍ୟକ୍ଷଙ୍କୁ ପରୀକ୍ଷା ଯାଏଁ ମୋତେ ଛୁଟିଦେବାକୁ ନେହୁରା  ହୋଇ ଥିଲି। କିନ୍ତୁ ମୁଁ କ୍ଲାସରେ ଅନୁପସ୍ଥିତ ରହିଲେ ମୋତେ ପରୀକ୍ଷାରେ ବସିବାକୁ ଦେବେ ନାହିଁ ବୋଲି ସେ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।