ବ୍ରିଟେନ ପରେ ରୁଷରେ ଲୋକଙ୍କୁ ଟିକା ଦେବାକୁ ନିର୍ଦ୍ଦେଶ

ମସ୍କୋ: ସାମୂହିକ ଟିକାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଆସନ୍ତା ସପ୍ତାହରୁ ଦେଶର ନାଗରିକଙ୍କୁ ସ୍ପୁଟନିକ-ଭି ଟିକା ଦେବା ପାଇଁ ପୁଟିନ ଆଜି କହିଛନ୍ତି। ରୁଷର ନାଗରିକଙ୍କୁ ମାଗଣାରେ ଏହି ଟିକା ପ୍ରଦାନ କରାଯିବ ବୋଲି ସରକାର କହିଛନ୍ତି।

ଆଜି ବ୍ରିଟେନ ପ୍ରଥମ ରାଷ୍ଟ୍ର ଭାବେ ଫାଇଜର ବାୟୋନଟେକ ଟିକାକୁ ଅନୁମୋଦନ ଦେଇଥିଲା। ଆସନ୍ତା ସପ୍ତାହରୁ ଦେଶରେ ଏହି କମ୍ପାନୀର ଟିକା ଲୋକଙ୍କୁ ଦିଆଯିବ। ଏହି ଘୋଷଣା ପରେ ସନ୍ଧ୍ୟାରେ ପୁଟିନ ସ୍ପୁଟନିକ-ଭିର ଟିକା ଲୋକଙ୍କୁ ଦେବାକୁ କହିଛନ୍ତି।
ପୂର୍ବରୁ ସ୍ପୁଟନିକ ଭି କରୋନା ଉପରେ ୯୨% ସଫଳ ବୋଲି ରୁଷ ସରକାର କହିଥିଲେ।

ଅନ୍ତର୍ଜାତୀୟ ମାର୍କେଟରେ ସ୍ପୁଟନିକ ଭି ଟିକାର ଦାମ ୧୦ ଡଲାର ବା ୭୪୦ ଟଙ୍କା ରହିଛି। କରୋନାରୁ ସୁରକ୍ଷା ପାଇଁ ଏହି ଟିକାର ଦୁଇଟି ଡୋଜ୍‌ ଜଣେ ବ୍ୟକ୍ତିଙ୍କୁ ଦିଆଯିବ। ଅର୍ଥାତ ଜଣଙ୍କ ପିଛା ୨୦ ଡଲାର ଖର୍ଚ୍ଚ ହେବ।

ଅନ୍ୟପକ୍ଷରେ ଡା ରେଡ୍ଡୀସ ପକ୍ଷରୁ ଭାରତରେ ମଧ୍ୟ ସ୍ପୁଟନିକ ଭି ଟିକାର ମାନବ ପରୀକ୍ଷଣ କରାଯାଉଛି। ଜାନୁଆରୀ ମାସରେ ଏହାର ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି।

ଚଳିତ ବର୍ଷ ଅଗଷ୍ଟ ମାସରେ ସ୍ପୁଟନିକ ଭି ଟିକାର ବ୍ୟବହାର ପାଇଁ ରୁଷ ଅନୁମତି ଦେଇଥିଲା। ହେଲେ ଏହାର ଟ୍ରାଏଲ କେବେ ଓ କେଉଁଠି ହୋଇଛି, ତା’କୁ ନେଇ ପ୍ରଶ୍ନ ଉଠିଥିଲା। ଫଳରେ ବିଭିନ୍ନ ରାଷ୍ଟ୍ରରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।