ପୁଲିସ୍ର ଲାଠିଚାର୍ଜ ବେଳେ କଂଗ୍ରେସ କର୍ମୀଙ୍କୁ ରକ୍ଷା କଲେ ପ୍ରିୟଙ୍କା, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ମଧ୍ୟାହ୍ନରେ ରକ୍ଷାକାରୀ ଭୂମିକାରେ ନଜର ଆସିଛନ୍ତି। ଦିଲ୍ଲୀ-ନୋଏଡା ଡାଇରେକ୍ଟ (ଡିଏନଡି) ଫ୍ଲାଏଓଭର ନିକଟରେ ଆଜି କଂଗ୍ରେସ କର୍ମୀଙ୍କ ଉପରେ ଉତ୍ତର ପ୍ରଦେଶ ପୁଲିସ୍ ଲାଠିଚାର୍ଜ କରିଥିଲା। ଏହି ସମୟରେ ପ୍ରିୟଙ୍କା ପୁଲିସ୍ ସହ ଲଢ଼େଇ କରି କିଛି କଂଗ୍ରେସ କର୍ମୀଙ୍କୁ ରକ୍ଷା କରିଛନ୍ତି। ଏଥିସହ ସେ କଂଗ୍ରେସ କର୍ମୀଙ୍କ ରକ୍ଷାକବଚ ମଧ୍ୟ ସାଜିଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆଜି ପ୍ରିୟଙ୍କା ଓ ରାହୁଲ ଗାନ୍ଧି ଉତ୍ତର ପ୍ରଦେଶର ହାଥରସ ଯିବାକୁ ଚାହୁଁଥିଲେ। ସେମାନେ ଡିଏନଡି ଫ୍ଲାଏଓଭର ରାସ୍ତା ଦେଇ ଯିବାର ଥିବାରୁ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। ପ୍ରିୟଙ୍କା ଓ ରାହୁଲ ସେଠାରେ ପହଞ୍ଚିବା ପରେ ପ୍ରବଳ ଭିଡ଼ ହୋଇଥିଲା। ଏପରି କି ପୁଲିସ୍ ଆନ୍ଦୋଳନ କରୁଥିବା କଂଗ୍ରେସ କର୍ମୀଙ୍କ ଉପରେ ଲାଠି ଚାର୍ଜ କରୁଥିଲା।
श्रीमती @priyankagandhi जी के फौलादी इरादों को देखिये
यूपी सरकार की पुलिसिया तानाशाही के खिलाफ अपने कार्यकर्ताओं के लिये ढाल बनकर खड़ी है।
हमे अपने नेता पर गर्व है। pic.twitter.com/WUXrSFpenP
— Vishwavijay Singh (@vishwavijay05) October 3, 2020
ଏହି ସମୟରେ କଳା ରଙ୍ଗର କୁର୍ତ୍ତା ଓ ମାସ୍କ ପିନ୍ଧିଥିବା ପ୍ରିୟଙ୍କା ହଳଦିଆ ରଙ୍ଗର ବ୍ୟାରିକେଡ୍ ଡେଇଁ ଲାଠି ଚାର୍ଜ ହେଉଥିବା ସ୍ଥାନରେ ପହଞ୍ଚିଥିଲେ। ସେ ତୁରନ୍ତ ପୁଲିସ୍ ମାଡ଼ର ଶିକାର ହେଉଥିବା ଜଣେ ଧଳା କୁର୍ତ୍ତା ପିନ୍ଧା ବ୍ୟକ୍ତିଙ୍କ ରକ୍ଷା କବଚ ସାଜିଥିଲେ। ଭିଡିଓ ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଆହତ ହୋଇଥିବା ଭଳି ମନେ କରାଯାଉଛି। ପ୍ରିୟଙ୍କା ତାଙ୍କୁ ପୁଲିସ୍ର ଲାଠି ମାଡ଼ରୁ ଉଦ୍ଧାର କରି ରାସ୍ତା କଡ଼ରେ ବସାଇଥିଲେ। ଏପରି ସେ ତାଙ୍କ ପାଖରେ ମଧ୍ୟ ଛିଡ଼ା ହୋଇ ରହିଥିଲେ। ପ୍ରିୟଙ୍କା ଉକ୍ତ ବ୍ୟକ୍ତିଙ୍କ ରକ୍ଷା କବଚ ସାଜିବାରୁ ପୁଲିସ୍ ପଛଘୁଞ୍ଚା ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।