ଧାନ ଧାଡ଼ିରେ ରୋଇଲେ ମିଳିବ ୧୫୦୦ ଟଙ୍କା

ଚଣ୍ଡିଗଡ଼: ଧାନ ଧାଡ଼ିରେ ରୋଇଲେ ମିଳିବ ୧୫୦୦ ଟଙ୍କା। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଶନିବାର ଏଭଳି ଘୋଷଣା କରିଛନ୍ତି। ପ୍ରତି ଏକର ପିଛା ଏହି ଅର୍ଥ ମିଳିବ। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ତାଙ୍କ ରାଜ୍ୟବାସୀଙ୍କୁ ଅଧିକ ଖାଦ୍ୟ ଶସ୍ୟ ଅମଳ ନିମନ୍ତେ ପାରମ୍ପରିକ ପ୍ରଳାଳୀକୁ ଛାଡ଼ି ଏହି ପନ୍ଥା ଆପଣାଇବାକୁ ନିବେଦନ କରିଛନ୍ତି। ଆସନ୍ତା ମାସ ଅର୍ଥାତ୍ ମେ’ ୨୦ ତାରିଖରୁ ଏହି ସ୍କିମ୍ ଆରମ୍ଭ ହେବ। ଚାଷୀଙ୍କୁ ଧାଡ଼ିରେ ଧାନ ଚାଷ କରିଲେ କେବଳ ଟଙ୍କା ମିଳିବନି ବରଂ କୃଷି ବିଭାଗ ଏଥି ନିମନ୍ତେ ସମସ୍ତ ପ୍ରକାର ସହଯୋଗ ମଧ୍ୟ ଯୋଗାଇ ଦେବ।

ଏହି ଘୋଷଣା ପଛରେ ରହିଛି ପଞ୍ଜାବରେ ଦେଖାଦେଇଥିବା ଭୂ-ଗର୍ଭ ଜଳସଙ୍କଟ। ବିପଦସଙ୍କେତ ଉପରେ ଠିଆ ହୋଇଥିବା ଏହି ରାଜ୍ୟ ନିଜର ଭୂ-ଗର୍ଭ ଜଳ ସୁରକ୍ଷା ନିମନ୍ତେ ଏହି ପଦେକ୍ଷପ ନେଇଛି।

ଶ୍ରୀ ମନ ଭୂ-ଗର୍ଭ ଜଳ ହ୍ରାସ ନେଇ ଚିନ୍ତା ପ୍ରକାଶ କରିବା ସହ ଏହାର ସୁରକ୍ଷା ନିମନ୍ତେ ଚାଷୀଙ୍କୁ ନିବେଦନ କରିଛନ୍ତି। ପାରମ୍ପରିକ ପ୍ରଣାଳିରେ ଭୂ-ଗର୍ଭରୁ ପାଣି ଉତ୍ତୋଳନ କରି ଚାଷ କରିବା ଦ୍ୱାରା ଅଧିକ ପାଣି ଖର୍ଚ୍ଚ ହେଉଛି। ଏହା ଭୂ-ଗର୍ଭ ଜଳହ୍ରାସର କାରଣ ହୋଇଛି। ରାଜ୍ୟ ଏ ବାବଦରେ ଏବେ ବିପଦ ବା ନାଲି ସଙ୍କେତ ଚିହ୍ନ ଉପରେ ଠିଆ ହୋଇଛି। ତେଣୁ ଭୂ-ଗର୍ଭ ଜଳ ସୁରକ୍ଷା ନିମେନ୍ତ ନିଜେ ଚାଷୀ ଧାଡ଼ି ପ୍ରଳାଳିରେ ଚାଷ କରିବା ସହ ଅନ୍ୟ ବନ୍ଧୁବାନ୍ଧବଙ୍କୁ ଏଭଳି ଚାଷ କରିବା ନିମନ୍ତେ ଉତ୍ସାହିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ମିଳିତ ସହଯୋଗ ଭୂ-ଗର୍ଭ ଜଳ ସୁରକ୍ଷା କରିପାରିବ ବୋଲି ସେ ମତ ଦେଇଛନ୍ତି।

ସୂଚନା ଥାଉକି, ଏଭଳି ଚାଷ ପଦ୍ଧତି ଆପଣାଇବା ନିମନ୍ତେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ମନ କିଛି ଦିନ ତଳେ ୨୪ ଚାଷୀ ସଂଗଠନ ସହ କଥା ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।