ରାଷ୍ଟ୍ରପତିଙ୍କ ନିକଟରେ କୃଷି ଆଇନ ବିରୋଧରେ ୨ କୋଟି ଦସ୍ତଖତ ଦାଖଲ କରିବେ ରାହୁଲ

ନୂଆଦିଲ୍ଲୀ: ଆସନ୍ତାକାଲି ରାଷ୍ଟ୍ରପତି ଭବନ ଅଭିମୁଖେ କୃଷି ଆଇନକୁ ବିରୋଧ କରି ଶୋଭଯାତ୍ରା ଆରମ୍ଭ ହେବ। ଏହାର ନେତୃତ୍ୱ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ନେବେ। ଏଥିରେ କଂଗ୍ରେସର ସମସ୍ତ ସାଂସଦ ଓ ବରିଷ୍ଠ ନେତାମାନେ ସାମିଲ ହେବ।

ସେଠାରେ ରାହୁଲ କୃଷି ଆଇନ ବିରୋଧରେ ଏକ ସ୍ମାରକପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିବେ। ଏଥିରେ ୨ କୋଟି ଭାରତୀୟଙ୍କ ଦସ୍ତଖତ ରହିଥିବା ଦଳ କହିଛି। କେନ୍ଦ୍ର ସରକାର ଲାଗୁ କରିଥିବା ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ କରିବା ଦାବିରେ କଂଗ୍ରେସ ଦେଶର ବିଭିନ୍ନ ସ୍ଥାନରୁ ଲୋକଙ୍କ ଦସ୍ତଖତ ସଂଗ୍ରହ କରିଛି।

ଦୀର୍ଘ ଦିନ ହେଲା ଅସହ୍ୟ ଜାଡ଼ରେ ହଜାର ହଜାର ଚାଷୀ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ସମର୍ଥନ ଜଣାଇ ରାହୁଲଙ୍କ ନେତୃତ୍ୱରେ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହା ସଂସଦ ଭବନର ବିଜୟ ଚୌକରୁ ଆରମ୍ଭ ହୋଇ ରାଷ୍ଟ୍ରପତି ଭବନ ଯାଏ ଚାଲିବ।

ଏହାପରେ କଂଗ୍ରେସର ଗୋଟିଏ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନକୁ ଉଚ୍ଛେଦ ପାଇଁ ଦାବି କରିବ। ଏଥିପାଇଁ ୨ କୋଟି ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି।

ଏହାପୂର୍ବରୁ କଂଗ୍ରେସ କୃଷି ଆଇନ ବିରୋଧରେ ପଞ୍ଜାବ ଓ ହରିଆଣା ସମେତ ଏକାଧିକ ରାଜ୍ୟରେ ଟ୍ରାକ୍ଟର ଯାତ୍ରା ମଧ୍ୟ କରିଥିଲେ। ବିରୋଧୀ ଦଳଗୁଡ଼ିକ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଆଇନକୁ ଉଚ୍ଛେଦ କରିବାକୁ ଦାବି କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।