ପୁଣିଥରେ ବିଧାନସଭା ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କ ପାଖକୁ ଗଲା ପ୍ରସ୍ତାବ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ରାଜ୍ୟପାଳ କଲରାଜ ମିଶ୍ରଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ଆଜି ପୁଣିଥରେ କ୍ୟାବିନେଟ ବୈଠକ କରି ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳ ମିଶ୍ରଙ୍କ ପାଖକୁ ଏକ ପ୍ରସ୍ତାବ ପଠାଇଛନ୍ତି। ବିଧାନସଭା ଅଧିବେଶନକୁ ଜୁଲାଇ ୩୧ରେ ଡାକିବା ପାଇଁ ସେ ପୁଣିଥରେ ଦାବି କରିଛନ୍ତି।

ଏହାପୂର୍ବରୁ ଗେହଲଟ ଦୁଇଥର ବିଧାନସଭା ଅଧିବେଶନ ଡାକିବା ପାଇଁ ପ୍ରସ୍ତାବ ପଠାଇଥିଲେ ହେଁ ଏହାକୁ ରାଜ୍ୟପାଳ ଫେରାଇ ଦେଇଛନ୍ତି। ବିଧାୟକମାନଙ୍କୁ ୨୧ ଦିନର ନୋଟିସ ପଠାଇ ବିଧାନସଭା ଅଧିବେଶ ତା’ ପରେ ଡକା ଯାଇ ପାରିବ ବୋଲି ରାଜ୍ୟପାଳ ମିଶ୍ର କହିଥିଲେ। ହେଲେ ଆଜି ପୁଣିଥରେ ଗେହଲଟ ପ୍ରସ୍ତାବ ପଠାଇ ନୂଆ ଟ୍ୱିଷ୍ଟ ଆଣିଛନ୍ତି।

ଆଜିର କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ହରିଶ ଚୌଧୁରୀ କହିଛନ୍ତି, ଆମେ ରାଜ୍ୟପାଳ ପଠାଇଥିବା ପ୍ରଶ୍ନର ଉତ୍ତର ଦେଇ ତାଙ୍କ ପାଖକୁ ପୁଣିଥରେ ପ୍ରସ୍ତାବ ପଠାଇଛୁ। ବିଧାନସଭା ଅଧିବେଶ ଡାକିବା ଆମର ଅଧିକାର। ବିଧାନସଭା ଅଧିବେଶନ କେମିତି ଆୟୋଜନ ହେବ, ତା’ର ଦାୟିତ୍ୱ ବାଚସ୍ପତିଙ୍କର।

ଆମେ ଜୁଲାଇ ୩୧ ଶୁକ୍ରବାର ହିଁ ବିଧାନସଭା ଅଧିବେଶ ଡାକିବାକୁ ଚାହୁଁଛନ୍ତି। ରାଜ୍ୟପାଳ ଆମକୁ କେତେକ ପ୍ରଶ୍ନ ପଚାରିଥିଲେ। ଆମେ ଏହାର ଜବାବ ଦେଇ ସାରିଛୁ। ଅନ୍ୟ ରାଜ୍ୟରେ ବିଧାନସଭା ଅନୁଷ୍ଠିତ ହୋଇଥିଲେ ହେଁ ରାଜସ୍ଥାନରେ କାହିଁକି ହୋଇପାରିବ ନାହିଁ? ରାଜସ୍ଥାନ କ୍ୟାବିନେଟ ମଧ୍ୟ ସଂଶୋଧିତ ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।