ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଣ୍ଟା ଘାଣ୍ଟିଲା ଏନସିବି, ରିୟାଙ୍କ ସମ୍ପର୍କରେ ରଖିଲେ ବଡ଼ ବୟାନ

ମୁମ୍ବାଇ: ବଲିଉଡରେ ଚାଲିଥିବା ଡ୍ରଗ୍ସ ଲିଙ୍କ ବାବଦରେ ଆଜି ଏନସିବି ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ଦୀର୍ଘ ୪ ଘଣ୍ଟା ଧରି ପଚରାଉଚରା କରିଛି। ଏହି ପଚରାଉଚରା ସମୟରେ ରକୁଲ ପ୍ରୀତ ଡ୍ରଗ୍ସ ଲିଙ୍କ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

ଗଣମାଧ୍ୟମର ଭିଡ଼ ମଧ୍ୟରେ ରକୁଲ ପ୍ରୀତ ଆଜି ମଧ୍ୟାହ୍ନରେ ମୁମ୍ବାଇର କୋଲାବା ସ୍ଥିତ ଏନସିବି ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଏହାପରେ ସ୍ୱତନ୍ତ୍ର ଅଧିକାରୀମାନେ ତାଙ୍କୁ ଅପରାହ୍ନ ପ୍ରାୟ ୪.୩୦ ଯାଏ ପଚରାଉଚରା କରିଥିଲେ। ପଚରାଉଚରା ପରେ ରକୁଲ ନିଜ ଘରକୁ ଚାଲି ଯାଇଛନ୍ତି। ତେବେ ସେ ଏନସିବି ଅଧିକାରୀଙ୍କ ଆଗରେ ବଡ଼ ବୟାନ ରଖିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ପଚରାଉଚରା ବେଳେ ୨୦୧୮ରେ ସେ ରିୟା ଚକ୍ରବର୍ତ୍ତୀଙ୍କ ସହ ଡ୍ରଗ୍ସ ସମ୍ପର୍କରେ ଆଲୋଚନା କରିଥିବା ସ୍ୱୀକାର କରିଛନ୍ତି। ତେବେ ସେ ନିଜେ କେବେ ହେଲେ ଡ୍ରଗ୍ସ ସେବନ କରି ନଥିବା ଅଧିକାରୀଙ୍କୁ ଜଣାଇଛନ୍ତି। ରକୁଲ ଆହୁରି କହିଛନ୍ତି ଯେ ରିୟା ହିଁ ତାଙ୍କ ଘରେ ଡ୍ରଗ୍ସ ରଖିଥିଲେ। ଏଥିରେ ତାଙ୍କର କୌଣସି ପ୍ରକାରର ଭୂମିକା ନାହିଁ। କୌଣ ଡ୍ରଗ୍ସ ପେଡଲରଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିବା ରକୁଲ ତଦନ୍ତକାରୀ ଅଧିକାରୀଙ୍କୁ କହିଛନ୍ତି।

ଆଜି ଏନସିବି ରକୁଲ ପ୍ରୀତ ଓ କରିଶ୍ମା ପ୍ରକାଶଙ୍କୁ ମଧ୍ୟ ମୁହାଁମୁହିଁ ବସାଇ ପଚରାଉଚରା କରିଥିଲା। ଏପରି କି ଜୟା ସାହାଙ୍କ ସହ ସେମାନେ ଡ୍ରଗ୍ସକୁ ନେଇ କରିଥିବା ଚ୍ୟାଟକୁ ମଧ୍ୟ ଦେଖାଇଥିଲା। ଜୟା ସାହା ହିଁ ଡ୍ରଗ୍ସ କାରବାରରେ ରକୁଲ ପ୍ରୀତ ଓ କରିଶ୍ମାଙ୍କ ସଂପୃକ୍ତି ଥିବା ନେଇ ଏନସିବି ଜେରା ବେଳେ କହିଥିଲେ। ଏନସିବି ଆଜି ରକୁଲ ପ୍ରୀତଙ୍କୁ ଛାଡ଼ି ଦେଇଥିଲେ ହେଁ ତାଙ୍କୁ ପୁଣି ସମନ କରିବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଡ୍ରଗ୍ସ ଲିଙ୍କ ମାମଲାରେ ଆସନ୍ତାକାଲି ଦୀପିକା ପାଦୁକୋଣ, ସାରା ଅଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏନସିବି ଅଧିକାରୀମାନେ ଜେରା କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।