ମାସ୍କ ନ ପିନ୍ଧି ଯୁକ୍ତି କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ରାଜକୋଟ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ପୁଣିଥରେ ବିବାଦରେ ଫସିଛନ୍ତି। କରୋନା ମହାମାରୀ ଭିତରେ ଜାଡେଜାଙ୍କ ପତ୍ନୀ ମାସ୍କ ପିନ୍ଧି ନଥିବାରୁ ଗୁଜରାଟର ରାଜକୋଟରେ ଜଣେ କନଷ୍ଟେବଲ ତାଙ୍କୁ କାରଣ ପଚାରିଥିଲେ। ଏହାକୁ ନେଇ ସେ ପୁଲିସ୍‌ କନଷ୍ଟେବଲଙ୍କ ସହ ଯୁକ୍ତି କରିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସୋମବାର ରାତିରେ ଏହି ଘଟଣା ଘଟିଥିବା ବେଳେ କାର୍‌ ମଧ୍ୟରେ ରବୀନ୍ଦ୍ର ଜାଡେଜା ମଧ୍ୟ ରହିଥିଲେ। ଜାଡେଜା ମାସ୍କ ପିନ୍ଧି ଥିବା ବେଳେ ତାଙ୍କ ପତ୍ନୀ ରିଭାବା ମାସ୍କ ପିନ୍ଧି ନଥିଲେ। ରିଭାବା ମାସ୍କ ପିନ୍ଧି ନଥିବାରୁ ସେମାନଙ୍କ ଗାଡ଼ିକୁ ହେଡ କନଷ୍ଟେବଲ ସୋନାଲ ଗୋସାଇ କିଷାନପରା ଛକ ନିକଟରେ ଅଟାଇଥିଲେ।

ତେବେ ଏହାକୁ ନେଇ କନଷ୍ଟେବଲ ସୋନାଲଙ୍କ ସହ ରିଭାବା ଯୁକ୍ତିତର୍କ କରିଥିଲେ। ଦୀର୍ଘ ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଏଭଳି ପାଟିତୁଣ୍ଡ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ସୋନାଲ କିଛି ସମୟ ପରେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ମଧ୍ୟ ନିଆଯାଇଥିଲା। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ କୌଣସି ଏଫଆଇଆର ରୁଜୁ କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ