ଖ୍ରୀଷ୍ଟମାସରେ ଚର୍ଚ୍ଚ ଗଲେ ମାଡ଼ ମାରିବ ବୋଲି କହିଲା ବଜରଙ୍ଗ ଦଳ

ଗୌହାଟୀ: ପବିତ୍ର ଖ୍ରୀଷ୍ଟମାସ ଅବସରରେ ଯଦି କୌଣସି ହିନ୍ଦୁ ଏହାକୁ ପାଳନ କରିବା ପାଇଁ ଚର୍ଚ୍ଚ ଯିବ, ତା’ହେଲେ ତାଙ୍କୁ ସର୍ବସମ୍ମୁଖରେ ମାଡ଼ ମରାଯିବ ବୋଲି ଦକ୍ଷିଣ ପନ୍ଥୀ ସଂଗଠନ ବଜରଙ୍ଗ ଦଳ ଧମକ ଦେଇଛି। ଆସାମର ଚାଚର ଜିଲ୍ଲାର ସିଲଚର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଗଠନର ଜଣେ ନେତା ଏଭଳି ଘୋଷଣା କରାଯାଇଛି।

ଏହି ଜିଲ୍ଲାର ବଜରଙ୍ଗ ଦଳ ପାଇଁ କାର୍ଯ୍ୟ କରୁଥିବା ମିତୁ ନାଥ କହିଛନ୍ତି, ଖ୍ରୀଷ୍ଟମାସ ଡେ’ରେ ଆୟୋଜିତ କାର୍ଯ୍ୟକ୍ରମରେ ଆମେ ହିନ୍ଦୁଙ୍କୁ ଭାଗ ନେବାକୁ ଦେବୁ ନାହିଁ। ଯେଉଁ ହିନ୍ଦୁମାନେ ଚର୍ଚ୍ଚରେ ବୁଲିବାକୁ ଯିବେ ସେମାନଙ୍କୁ ମାଡ଼ ମରାଯିବ। ସେମାନେ(ଖ୍ରୀଷ୍ଟିଆନ) ଆମ ପୂଜାସ୍ଥଳକୁ ବନ୍ଦ କରି ଦେଉଛନ୍ତି।

ସେଭଳି ଲୋକଙ୍କ ସହ ହିନ୍ଦୁମାନେ ମିଶି କର୍ଯ୍ୟକ୍ରମ କରିପାରିବେ ନାହିଁ। କୌଣସି ହିନ୍ଦୁ ଖ୍ରୀଷ୍ଟମାସରେ ଚର୍ଚ୍ଚ ଯାଇପାରିବେ ନାହିଁ। ଆମେ ଏହାକୁ ସଫଳ କରି ଦେଖାଇବୁ । ଆମେ ଯଦି ହିନ୍ଦୁମାନଙ୍କୁ ମାଡ଼ ମାରିବୁ, ତା’ହେଲେ ତା’ପରଦିନ ଖବର କାଗଜରେ ମୁଖ୍ୟ ଖବର ହୋଇ ଏହା ପ୍ରକାଶ ପାଇବ। ଆମକୁ ଗୁଣ୍ଡା ଦଳ କୁହାଯିବ। ହେଲେ ଆମେ ଏହାକୁ ଆଦୌ ଗୁରୁତ୍ୱ ଦେଉନାହୁଁ।

ସେମାନେ ଶିଲଂରେ ମନ୍ଦିରର ଦ୍ୱାର ବନ୍ଦ କରିଛନ୍ତି। ତେଣୁ ଆମେ ହିନ୍ଦୁମାନଙ୍କୁ ସେମାନଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଦେବୁନି ବୋଲି ସେ କହିଛନ୍ତି। ଏହି ସମୟରେ ସଭାରେ ଉପସ୍ଥିତ ଥିବା ୭୦ରୁ ଅଧିକ ଲୋକ ଗେରୁଆ ବାନା ଉଡ଼ାଇ ଜୟ ଶ୍ରୀରାମ ନାରା ଦେଇଥିଲେ।

ସେ ଆହୁରି କହିଛନ୍ତି, ଦକ୍ଷିଣ ପନ୍ଥୀଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର କରାଯାଉଛି। ମୁସଲିମ ଯୁବକମାନେ ଜାଣିଶୁଣି ହିନ୍ଦୁ ଯୁବତୀଙ୍କୁ ସେମାନଙ୍କ ପ୍ରେମରେ ଫସାଇ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଉଛନ୍ତି। ବଜରଙ୍ଗ ଦଳ ଏବେ ନିଜର ମା’ ଓ ଝିଅଙ୍କ ସୁରକ୍ଷା ପାଇଁ ସବୁ ପ୍ରକାରର ସମାଲୋଚନାକୁ ସାମ୍ନାକୁ ପ୍ରସ୍ତୁତ କରିବାକୁ ରାଜି ଅଛି।

ଲୋକମାନେ ଆମକୁ ଗୁଣ୍ଡା ଦଳ କହିପାରନ୍ତି। ହେଲେ ଆମେ ଆମ ମା’ ଓ ଝିଅଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଉଛୁ। ଏଥିପାଇଁ ଆମେ ସବୁ କିଛି ସହ୍ୟ କରିପାରିବୁ ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।