୨୫୧ ଟଙ୍କାରେ ସ୍ମାର୍ଟଫୋନ ଦେବାକୁ କହିଥିବା ବ୍ୟକ୍ତି ଏବେ ଦୁର୍ନୀତି ମାମଲାରେ ଗିରଫ

ନୋଏଡା: ମାତ୍ର ୨୫୧ ଟଙ୍କାରେ ଲୋକଙ୍କୁ ସ୍ମାର୍ଟଫୋନ୍‌ ଯୋଗାଇ ଦେବାକୁ କହି ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମୋହିତ ଗୋଏଲ ଏବେ ୨୦୦ କୋଟି ଟଙ୍କାର ଡ୍ରାଏଫ୍ରୁଟ୍‌ ଜାଲିଆତି ଘଟଣାରେ ଗିରଫ ହୋଇଛନ୍ତି। ନୋଏଡାର ଏହି ଉଦ୍ୟୋଗୀ ଜଣଙ୍କ ତାଙ୍କ ପତ୍ନୀ ଧାରଣା ଗୋଏଲଙ୍କ ସହ ମିଶି ପ୍ରଥମେ ରିଙ୍ଗଙ୍ଗ ବେଲ୍‌ ନାଁରେ କମ୍ପାନୀ ଖୋଲିଥିଲେ।

ଏହାପରେ ସେ ଫ୍ରିଡମ ୨୫୧ ନାଁରେ ସ୍ମାର୍ଟ ଫୋନ୍‌ ଲଞ୍ଚ କରିବେ ବୋଲି କହିଥିଲେ। ହେଲେ ଏତେ କମ୍‌ ଟଙ୍କାରେ କେମିତି ସ୍ମାର୍ଟଫୋନ୍‌ ମୋହିତ ଯୋଗାଇବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୫୧ ଟଙ୍କିଆ ଫୋନ୍‌ର ତ ଏଯାଏ ଦେଖା ମିଳିଲା ନାହିଁ, କିନ୍ତୁ ମୋହିତଙ୍କ କଳାକାରନାମା ପୂରା ଦେଶ ଦେଖିବାକୁ ପାଇଛି।

ସେ ଏକାଧିକ ଡ୍ରାଏଫ୍ରୁଟ୍‌ ବ୍ୟବସାୟୀଙ୍କୁ ଚୂନ ଲଗାଇ ୨୦୦ କୋଟି ଟଙ୍କା ହଡ଼ପ କରି ନେଇଥିବା ପୁଲିସ୍‌ ଜାଣିବାକୁ ପାଇଛି। ପୁଲିସ୍‌ର ସୂଚନା ଅନୁଯାୟୀ, ମୋହିତ ଅନ୍ୟ ୪ ଜଣଙ୍କ ସହ ମିଶି ଦୁବାଇ ଡ୍ରାଏଫ୍ରୁଟ୍‌ ଓ ସ୍ପାଇସ୍‌ ହବ୍‌ ନାଁରେ କମ୍ପାନୀ ଖୋଲିଥିଲେ। ହେଲେ ଡ୍ରାଏଫ୍ରୁଟ୍‌ ନାଁରେ ସେ ଏକାଧିକ ବ୍ୟବସାୟୀଙ୍କ ଠାରୁ ୨୦୦ କୋଟି ଟଙ୍କା ନେଇଯାଇଛନ୍ତି। ଏଥିପାଇଁ ତାଙ୍କୁ ରବିବାର ସନ୍ଧ୍ୟାରେ ସେକ୍ଟର ୫୧ ସ୍ଥିତ ମେଘଦୂତମଠାରୁ ଗିରଫ କରାଯାଇଛି।

ଗିରଫ ପରେ ତାଙ୍କ ଠାରୁ ଗୋଟିଏ ଅଡି କାର, ୬୦ କେଜିର ଡ୍ରାଏଫ୍ରୁଟ୍‌ ଓ ବିଭିନ୍ନ ଦସ୍ତାବିଜ୍‌ ଜବତ କରାଯାଇଛି। କମ୍ପାନୀ ପାଇଁ ମୋହିତ ଓ ତାଙ୍କ ସହଯୋଗୀମାନେ ସେକ୍ଟର ୬୨ରେ ଅଫିସ ଖୋଲିଥିଲେ। ଏଥିପାଇଁ ସେମାନେ ମାସିକ ୩ ଲକ୍ଷ ଭଡ଼ା ମଧ୍ୟ ଦେଉଥିଲେ।

ତେବେ ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଦିଲ୍ଲୀ, କର୍ଣ୍ଣାଟକା, ଆନ୍ଧ୍ର ପ୍ରଦେଶ ଓ ଆଉ କିଛି ରାଜ୍ୟର ପ୍ରାୟ ୪୦ରୁ ଅଧି ଡ୍ରାଏଫ୍ରୁଟ୍‌ ବ୍ୟବସାୟୀ ମୋହିତ ଆଣ୍ଡ କୋଙ୍କ ବିରୋଧରେ ଠକେଇ ଅଭିଯୋଗ କରିଥିଲେ। ମୋହିତଙ୍କ ସହ ୩ ଜଣ ବିଦେଶୀ ମଧ୍ୟ ରହିଥିଲେ। ଏମାନେ ଅଫିସର ରିସ୍ପେସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ।

ଆଡସିନାଲ ସିପି ଲଭ କୁମାର କହିଛନ୍ତି, ମୋହିତ ଗୋଏଲ ଓ ତା’ ସହଯୋଗୀମାନେ ପ୍ରଥମେ ବ୍ୟବସାୟୀଙ୍କ ବିଶ୍ୱାସ ଜିତିବା ପାଇଁ ଅର୍ଡର ନେବା ସହ ଠିକ ସମୟରେ ଟଙ୍କା ଦେଉଥିଲେ। ସମୟକ୍ରମେ ସେମାନ ଟଙ୍କା ଦେବା ବନ୍ଦ କରି ଦେଉଥିଲେ। ଯେଉଁ ବ୍ୟବସାୟୀଙ୍କୁ ସେମାନେ ଚେକ୍‌ ଦେଉଥିଲେ ଏଗୁଡ଼ିକ ବାଉନ୍ସ ମଧ୍ୟ ହେଉଥିଲା।

ବ୍ୟବସାୟୀଙ୍କୁ ପ୍ରଲୋଭିତ କରିବା ପାଇଁ ବଜାର ଦରଠାରୁ ଅଧିକ ଦାମରେ ସେମାନେ ଡ୍ରାଏଫ୍ରୁଟ୍‌ କିଣୁଥିଲେ। ଏହାକୁ ପରବର୍ତ୍ତୀ ଅବସ୍ଥାରେ ଏନସିଆର୍‌ର ଓପନ ମାର୍କେଟରେ କିଣା ଦର ଠାରୁ ଅଧିକ ଦାମରେ ବିକ୍ରି କରୁଥିଲେ। ହେଲେ ବ୍ୟବସାୟୀଙ୍କୁ ସେମାନଙ୍କ ପାଉଣା ଦେଉ ନଥିଲେ।


ମୋହିତ, ପ୍ରବୀଣ ସିଂହ ନିରୱାନ ଓ ରାଜୀବ କୁମାର କମ୍ପାନୀ ଚଳାଉଥିଲେ। ଓମ ପ୍ରକାଶ ଜଙ୍ଗଡି କମ୍ପାନୀର ପ୍ରୋପାଇଟର ଭାବେ କାର୍ଯ୍ୟ କରୁଥିଲେ। ସମଗ୍ର ଦେଶରୁ ସେମାନେ ବିଭିନ୍ନ ପ୍ରକାରର ଡ୍ରାଏଫ୍ରୁଟ୍‌କୁ ନେଟ ବ୍ୟାଙ୍କିଙ୍ଗ ଜରିଆରେ ୪୦% ଅର୍ଥ ଦେଇ ଆଣୁଥିଲେ। ବାକି ଟଙ୍କା ଚେକ୍‌ ଆକାରରେ ବ୍ୟବସାୟୀଙ୍କୁ ଦିଆଯାଉଥିଲା। ହେଲେ ଏଗୁଡ଼ିକ ପରବର୍ତ୍ତୀ ଅବସ୍ଥାରେ ବାଉନ୍ସ ହେଇ ଯାଉଥିଲା।

ପ୍ରଥମଥର ପାଇଁ ଗତବର୍ଷ ଡିସେମ୍ବର ୨୪ରେ ସେକ୍ଟର ୬୫ରେ ବ୍ୟବସାୟ କରୁଥିବା ରୋହିତ ମୋହନ ପୁଲିସ୍‌ ନିକଟରେ ମୋହିତଙ୍କ ନାଁରେ ଏଫଆଇଆର କରିଥିଲେ। ଏହାପରେ ଏକାଧିକ ସ୍ଥାନରେ ତାଙ୍କ ନାଁରେ ଏଫଆଇଆର ହୋଇଥିବା ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।