ନେତାଜୀ ଜୟନ୍ତୀରେ ‘ଜୟ ଶ୍ରୀରାମ’ ନାରାକୁ ବିରୋଧ କଲା ଆରଏସଏସ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ଜଣେ ବରିଷ୍ଠ ଅଧିକାରୀ ବଡ଼ ବୟାନ ଦେଇଛନ୍ତି। ନେତାଜୀଙ୍କ ଜୟନ୍ତୀ ପାଇଁ କୋଲକାତାରେ ଆୟୋଜିତ କାର୍ଯ୍ୟକ୍ରମରେ କିଛି ଲୋକ ଯେଉଁ ‘ଜୟ ଶ୍ରୀରାମ’ ନାରା ଦେଇଥିଲେ, ତା’କୁ ସଂଘ ଆଦୌ ସମର୍ଥନ କରୁନାହିଁ ବୋଲି ଆରଏସଏସର ଅଧିକାରୀ ଜଣଙ୍କ କହିଛନ୍ତି।

ଭିକ୍ଟୋରିଆ ମେମୋରିଆଲରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବାକୁ ଯାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଜୟ ଶ୍ରୀରାମ ନାରା ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। ଜୟ ଶ୍ରୀରାମ ନାରା ଶୁଣି ମମତା ମଧ୍ୟ ଭାଷଣ ଦେବାକୁ ମନା କରିଦେଇଥିଲେ।

ଏବେ ଆରଏସଏସର ବେଙ୍ଗଲ ୟୁନିଟ ସାଧାରଣ ସମ୍ପାଦକ ବିଷ୍ଣୁ ବାସୁ କହିଛନ୍ତି, କୋଲକାତାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ସରକାରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ନାରା ଦିଆଯାଇଥିଲା। ତେବେ ନେତାଜୀଙ୍କ କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ନାରାକୁ ସଂଘ ଆଦୌ ସମର୍ଥନ କରୁନାହିଁ।

ସେଦିନ ଯାହା ଘଟିଥିଲା, ସେଥିରେ ସଂଘ ଆଦୌ ଖୁସି ନାହିଁ। ଯେଉଁମାନେ ନାରା ଦେଇଥିଲେ, ସେମାନେ ନେତାଜୀ କିମ୍ବା ଭଗବାନ ରାମ କାହାକୁ ବି ସମ୍ମାନ ଦେଇନାହାନ୍ତି। ନାରା ଦେଇଥିବା ଲୋକ ଚିହ୍ନଟ ହେବା ଉଚିତ। ବିଜେପି ସେମାନଙ୍କୁ ଚିହ୍ନଟ କରୁ। କାରଣ ଷଡ଼ଯନ୍ତ୍ର କରିବା ଉଦ୍ଦେଶ୍ୟରେ କେହି ଏପରି ନାରା ବି ଦେଇଥାଇ ପାରେ ବୋଲି ସେ ଆଶଙ୍କା କରିଛନ୍ତି।

ଅନ୍ୟପକ୍ଷରେ ଜଣେ ବିଜେପି ନେତା ନିଜ ନାଁ ଗୋପନ ରଖି କହିଛନ୍ତି, କୋଲକାତାରେ ନାରା ଦେଇଥିବା ଲୋକମାନେ ଜଣେ ବରିଷ୍ଠ ବିଜେପି ନେତାଙ୍କ ସମର୍ଥକ। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆୟୋଜନ କରାଯାଇଥିଲା। ଯୋଜନା ଅନୁସାରେ ହିଁ ନାରା ଦିଆଯାଇଥିବା ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।