କାଲି ୧୦ଟା ବେଳେ ବଡ଼ ଘୋଷଣା କରିବେ ସଚିନ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିବା ସଚିନ ପାଇଲଟ ଏବେ କ‘ଣ କରିବେ, ତା’କୁ ନେଇ ଚର୍ଚ୍ଚା ଜୋରଧରିଛି। ସେ ବିଜେପିକୁ ଯିବେ ନା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ଗୋଟି ଚାଳନା କରିବେ, ତା’ ଉପରେ ସମସ୍ତଙ୍କ ନଜର। ନିଜର ସମର୍ଥିତ କିଛି ବିଧାୟକଙ୍କୁ ନେଇ ହରିଆଣାର ମାନସେର ସ୍ଥିତ ପଞ୍ଚ ତାରକା ହୋଟେଲରେ ଥିବା ସଚିନ ପାଇଲଟ ଆସନ୍ତାକାଲି ଦିନ ୧୦ଟା ବେଳେ ସାମ୍ବାଦିକ ସମ୍ମିଳନୀ କରିବେ।

ଏହି ସମୟରେ ସେ କିଛି ବଡ଼ ଘୋଷଣା କରିବା ସମ୍ଭାବନା ରହିଛି। ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ପ୍ରଦେଶ କମିଟି ମୁଖ୍ୟ ପଦରୁ ଦଳ ତାଙ୍କୁ ବରଖାସ୍ତ କରିଛି। ହେଲେ ଦଳରୁ ତାଙ୍କୁ ବିଦା କରାଯାଇ ନାହିଁ। ତେଣୁ ଆସନ୍ତାକାଲି ସଚିନ ପାଇଲଟ କଂଗ୍ରେସ ଛାଡ଼ିବେ କି ନାହିଁ, ତା’ ଉପରେ ଚୂଡ଼ାନ୍ତ ଘୋଷଣା କରିବେ।

ସେହିପରି ତାଙ୍କର ଆଗାମୀ ରଣନୀତି କ’ଣ ହେବ, ସେ ବିଷୟରେ ବି ସେ ସଙ୍କେତ ଦେବାର ସମ୍ଭାବନା ରହିଛି। ଆଜି ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବା ପରେ ସଚିନ ପାଇଲଟ ଟ୍ୱିଟ କରି କହିଥିଲେ ଯେ ସତ୍ୟକୁ କେବଳ ସମସ୍ୟାରେ ପକାଇ ହେବ କିନ୍ତୁ ଏହାକୁ କେବେ ହେଲେ ପରାସ୍ତ କରାଯାଇ ପାରିବ ନାହିଁ।

ଏହାପୂର୍ବରୁ ସେ କହିଥିଲେ, “କେହି ବି ନିଜର ଘର ଛାଡ଼ିବାକୁ ଚାହାନ୍ତି ନାହିଁ। କିନ୍ତୁ ଅନେକ କଷ୍ଟ ସହି ବହୁଦିନ ରହିବା ବି ସମ୍ଭବ ପର ନୁହେଁ। ମୋ ବିଧାୟକ ଓ ସମର୍ଥକମାନେ ବହୁତ ଆଘାତ ପାଇଛନ୍ତି। ମୋତେ ସେମାନଙ୍କ କଥା ଶୁଣିବାକୁ ପଡ଼ିବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।