କୃଷ୍ଣସାର ମୃଗ ଶିକାର ମାମଲା: ଶୁକ୍ରବାର କୋର୍ଟରେ ହାଜର ହେବେ ସଲମାନ

ଯୋଧପୁର: ରାଜସ୍ଥାନର କଙ୍କଣି ଗାଁର ଦୁଇଟି କୃଷ୍ଣସାର ମୃଗ ଶିକାର ମାମଲାରେ ପୁଣିଥରେ ବଲିଉଡ୍‌ର ଦବଙ୍ଗ ବୟ ସଲମାନ ଖାନ୍‌ଙ୍କ ଅଡ଼ୁଆ ବଢ଼ିଛି। ଆସନ୍ତାକାଲି ତାଙ୍କୁ ଏହି ମାମଲାରେ କୋର୍ଟରେ ହାଜର ହେବା ପାଇଁ ଆଜି ଯୋଧପୁରର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ୫ ବର୍ଷ ତଳେ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ହେଲେ ଏଯାଏ ସଲମାନ ଖାନ୍‌ ଗୋଟିଏ ଥର ବି ଏଠାରେ ହାଜର ହୋଇ ନାହାନ୍ତି। ଏଥିପାଇଁ ଆଜି ଶୁଣାଣି ବେଳେ କୋର୍ଟ ସଲମାନଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ଏହାପରେ କୋର୍ଟ ସଲମାନଙ୍କ ଓକିଲଙ୍କୁ ତାଗିଦ କରିଥିଲେ। ସେ କହିଥିଲେ, ଆସନ୍ତାକାଲିର ଶୁଣାଣି ବେଳେ ସଲମାନ ଯେମିତି ହେଲେ ବି ହାଜର ହେବେ। ଏକଥା ତାଙ୍କ ଓକିଲ ଏଠାରେ ନିଶ୍ଚିତ କରନ୍ତୁ।

ରାଜସ୍ଥାନର ଏକ ତଳ କୋର୍ଟ ସଲମାନଙ୍କୁ ଶିକାର ମାମଲାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବିରୋଧରେ ସଲମାନ ଯୋଧପୁର କୋର୍ଟରେ ଆବେଦନ କରିଛନ୍ତି।

୧୯୯୮ରେ ବଲିଉଡ୍‌ ଫିଲ୍ମ ହମ ସାଥ ସାଥ ହୈର ଶୁଟିଂ ବେଳେ ସଲମାନ ତାଙ୍କ ସାଥୀ କଳାକାର ସୈଫଲୀ ଖାନ, ତବୁ ଓ ସୋନାଲି ବେନ୍ଦ୍ରେଙ୍କ ସହ ମିଶି କଙ୍କଣି ଗାଁରେ ୨ଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଛି। ୧୯୯୮ ଅକ୍ଟୋବର ୧୨ରେ ସଲମାନ ଏହି ମାମଲାରେ ପ୍ରଥମଥର ପାଇଁ ଗିରଫ ହୋଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଜାମିନ ମିଳିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।