ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଟେଲିକମ କମ୍ପାନୀଙ୍କୁ ଜବରଦସ୍ତ ଝଟକା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗର ଏକ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ପରେ ଦେଶର ୮ ଟେଲକମ କମ୍ପାନୀ ବକେୟା ୯୨ ହଜାର କୋଟିରୁ ଅଧିକ ଟଙ୍କା ଦେବେ ବୋଲି ଜଣାପଡ଼ିଛି। ତେବେ କେନ୍ଦ୍ରକୁ ୬ମାସ ଭିତରେ ଟେଲିକମ କମ୍ପାନୀ ବକେୟା ଟଙ୍କା ଦେବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବକେୟା ଟଙ୍କା ଗୁଡ଼ିକ ଭିତରେ ଏଜିଆର (ସମୟୋଜିତ ସକଳ ରାଜସ୍ୱ)ରେ ଲାଇସେନ୍ସ ଟଙ୍କା ଏବଂ ସ୍ପେକ୍ଟ୍ରମ ବ୍ୟବହାର ଏବଂ ଅନ୍ୟାନ୍ୟ ଟଙ୍କା ରହିଛି। ଏହି ଟଙ୍କା ସବୁ ଦେବାକୁ ଟେଲିକମ କମ୍ପାନୀ ୬ ମାସ ସମୟ ମାଗିଥିଲେ। ୧୯୯୯-୨୦୦୦ ମସିହାରୁ ଟେଲିକମ କମ୍ପାନୀ ଏବଂ ଦୂରସଞ୍ଚାର ବିଭାଗ ମଧ୍ୟରେ ଏହି ବିବାଦ ଚାଲିଥିଲା। ଜଷ୍ଟିସ ଅରୁଣ ମିଶ୍ରାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି।
ଆଗାମୀ ଦିନରେ ଏହାକୁ ନେଇ କୌଣସି ଦ୍ୱନ୍ଦ୍ୱ ବା ବିବାଦ ନରହିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଟେଲିକମ ସେବା ଯୋଗାଉଥିବା କମ୍ପାନୀ ମାନେ ଦୀର୍ଘ ବର୍ଷ ହେବ ବକେୟା ଟଙ୍କା ଦେଇ ନାହାନ୍ତି। ଏବେ ସେମାନଙ୍କୁ ବକେୟା ଟଙ୍କାର ସୁଧ ଏବଂ ଜୋରିମାନା ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଦୂର ସଞ୍ଚାର ବିଭାଗ ଏ ନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲା। ଯେଉଁଥିରେ କେଉଁ କମ୍ପାନୀ କେତେ ଟଙ୍କା ବକେୟା ରଖିଛନ୍ତି ସେ ବାବଦରେ ଉପସ୍ଥାପନ କରିଥିଲା। ଏୟାରଟେଲ ଲାଇସେନ୍ସ ଫି ବାବଦକୁ ୨୧, ୬୮୨.୧୩ କୋଟି ଟଙ୍କା, ଭୋଡାଫୋନ ୧୯. ୮୨୩.୭୧ କୋଟି, ରିଲାଏନ୍ସ କମ୍ୟୁନିକେସନ ୧୬, ୪୫୬.୪୭ କୋଟି, ବିଏସଏନଏଲ ୨,୦୯୮.୭୨ କୋଟି ଏବଂ ଏମଟିଏନଏଲ ୨,୫୩୭.୪୮ କୋଟି ଟଙ୍କା କେନ୍ଦ୍ରକୁ ଦେବେ। ସବୁଠୁ ଅଧିକ ଏୟାରଟେଲ ଦେବ।
ଯେଉଁ ସ୍ପେକ୍ଟରମ ବ୍ୟବହାର ପାଇଁ ଟେଲିକମ କମ୍ପାନୀ ମାନେ ଲାଇସେନ୍ସ ନେଇଛନ୍ତି, ସେଥିପାଇଁ ଏବେ ପଇସା ଦେବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସ୍ପେକ୍ଟ୍ରମ ଚାର୍ଜ ଲାଇସେନ୍ସ ନେବା ବେଳେ କମ୍ପାନୀମାନଙ୍କୁ ଥରେ ଦେବାକୁ ପଡ଼ୁଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।