ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଜାରି ରହିଥିବା ହିଂସାକୁ ନେଇ ଆଜି ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ କୋର୍ଟ ଏହି ହିଂସାକାଣ୍ଡ ପାଇଁ ଦିଲ୍ଲୀ ପୁଲିସ୍ର ଅପାରଗତାକୁ ଦାୟୀ କରି ତୀବ୍ର ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ କୋର୍ଟ ଦିଲ୍ଲୀ ହିଂସାକାଣ୍ଡରେ ହସ୍ତକ୍ଷେପ କରିବା ପାଇଁ ହୋଇଥିବା ସମସ୍ତ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସକେ କାଉଲ ଓ ଜଷ୍ଟିସ କେଏମ ଯୋଜେଫଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଆଜି ଶାହୀନ ବାଗ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହିଂସା ଉପରେ ଟିପ୍ପଣୀ କରିଥିଲେ। ଖଣ୍ଡପୀଠ କହିଛନ୍ତି, “ଆଜି ଦିଲ୍ଲୀ ଜଳୁଛି। ଯଦି ପୁଲିସ୍ ଦଙ୍ଗାକାରୀଙ୍କୁ ସେମାନଙ୍କ ସାମ୍ନାରେ ଯିବାକୁ ଦେଇ ନଥାଆନ୍ତା, ତା’ହେଲେ ଆଜି ସ୍ଥିତି ଏମିତି ହୋଇ ନଥାଆନ୍ତା।
ଯଦି କେହି ବିବାଦୀୟ କିମ୍ବା ହିଂସା ସୃଷ୍ଟି କରିବା ଭଳି ବୟାନ ଦେଉଛି, ତା’ହେଲେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାହାର ନିର୍ଦ୍ଦେଶକୁ ଅପେକ୍ଷା କରିବା କଥା ନୁହେଁ। ଏହି ସମୟରେ ଆଇନ ଅନୁଯାୟୀ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।
ପୁଲିସ୍ ପ୍ରଫେସନାଲ ଭାବେ କାର୍ଯ୍ୟ କରୁନାହିଁ। ଆମେରିକା ଓ ବ୍ରିଟେନରେ ପୁଲିସ୍ ବେଶ ପ୍ରଫେସନାଲ ଢଙ୍ଗରେ କାର୍ଯ୍ୟ କରୁଛି। ସେମାନେ ଭୁଲ ଦେଖିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ହେଲେ ଦିଲ୍ଲୀ ପୁଲିସ୍ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ପୂର୍ବରୁ କେବଳ ନିର୍ଦ୍ଦେଶକୁ ଅପେକ୍ଷା କରୁଛି।”
ଦିଲ୍ଲୀ ପୁଲିସ୍କୁ ସ୍ଥିତି ଅନୁସାରେ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର କାହିଁକି ଦେଉନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ଯୋଜେଫ କହିଛନ୍ତି, “ମୁଁ ସମ୍ବିଧାନକୁ ମାନେ। ତେଣୁ ଦିଲ୍ଲୀରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ମୋର କିଛି କର୍ତ୍ତବ୍ୟ ରହିଛି। ମୁଁ ଏହାକୁ ସହି ପାରୁନାହିଁ। ମୁଁ ମୋର ଅସନ୍ତୋଷ ପ୍ରକାଶ କରିବି। ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବର୍ତ୍ତମାନ କାର୍ଯ୍ୟକ୍ଷମ କରିବାର ସମୟ ଆସିଛି। ଏହାଦ୍ୱାରା ପୁଲିସ୍ ଠିକ୍ ଓ ଉଚିତ ମାର୍ଗରେ କାର୍ଯ୍ୟ କରିପାରିବ।
ଉତ୍ତର-ପୂର୍ବ ଦିଲ୍ଲୀରେ ସାଂପ୍ରଦାୟିକ ଦଙ୍ଗା ହେବା ପୂର୍ବରୁ କିଛି ଲୋକ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ପୁଲିସ୍ କ’ଣ ପାଇଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନଥିଲା? ପୁଲିସ୍ ଯଦି ଠିକ ଭାବେ ତା’ର କାର୍ଯ୍ୟ କରୁଥାଆନ୍ତା, ତା’ହେଲେ ଆଜି ସମାଜରେ କେବେ ହେଲେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା।
ରାଜନୀତିକ ଦଳ ଓ ସବୁ ପକ୍ଷ ନିଜର ମନୋଭାବକୁ ନରମ କରନ୍ତୁ। ଏଥିସହ ଉତ୍ତେଜନାମୂଳକ ବୟାନ ଦେବାରୁ ଦୂରେଇ ରୁହନ୍ତୁ। ସମାଜରେ କେମିତି ଶାନ୍ତି ଫେରିବ, ସେ କାମ ପୁଲିସ୍ ଓ ପ୍ରଶାସନ କରିବା ଦରକାର।”
ଦିଲ୍ଲୀ ପୁଲିସ୍ ଓ କେନ୍ଦ୍ର ପକ୍ଷରୁ ଲଢ଼ୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ନିଜର ପକ୍ଷ ରଖି କହିଥିଲେ, “ସୁପ୍ରିମକୋର୍ଟ ଏମିତି କିଛି କଥା କୁହନ୍ତୁ ନାହିଁ ଯାହାଦ୍ୱାରା ହିଂସାକୁ ରୋକିବା ପାଇଁ ପ୍ରୟାସ କରୁଥିବା ଦିଲ୍ଲୀ ପୁଲିସ୍ ଉପରେ ଏହାର କୁପ୍ରଭାବ ପଡ଼ିବ। ସୁପ୍ରିମକୋର୍ଟ ମୋ କଥାକୁ ଅଲଗା ଭାବେ ନିଅନ୍ତୁ ନାହିଁ। ମୁଁ କେବଳ ସମାଜର ସ୍ୱାର୍ଥ ପାଇଁ ଏପରି କହୁଛି।”
ଏହି ସମୟରେ ଖଣ୍ଡପୀଠ କହିଥିଲେ, ଆମେ ଦିଲ୍ଲୀ ପୁଲିସ୍ ବିପକ୍ଷରେ କିଛି କହୁନାହୁଁ। ହେଲେ ସମୂହ ସ୍ୱାର୍ଥ ପାଇଁ ଆମେ ଏଭଳି କଥା କହିବାକୁ ବାଧ୍ୟ ହେଉଛୁ। ପୁଲିସ୍ ନିଜର କାମ ବିନା ଚାପରେ ଓ ପରିସ୍ଥିତି ଅନୁସାରେ କରିବା ଦରକାର। ଏହା ଦ୍ୱାରା ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି।
ଶୁଣାଣି ବେଳେ ମେହେଟା କହିଥିଲେ ଯେ ହିଂସାକାଣ୍ଡକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଛି। ଏହା ଶୁଣିବା ପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଦିଲ୍ଲୀ ହାଇକୋର୍ଟ ହିଂସା ଜନିତ ଆବେଦନର ଶୁଣାଣି କରିବେ। ତେଣୁ ସୁପ୍ରିମକୋର୍ଟ ଏହା ଉପରେ କୌଣସି ଶୁଣାଣି କରିବେ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।