ପୁଣି ପ୍ରଶାସନିକ ସେବାକୁ ଫେରିପାରନ୍ତି ଶାହ ଫୈଜଲ

ଶ୍ରୀନଗର: ପ୍ରଶାସନିକ ଅଧିକାରୀରୁ ରାଜନେତା ପାଲଟିଥିବା ଆଇଏଏସ ଶାହ ଫୈଜଲ ପୁଣିଥରେ ପ୍ରଶାସନିକ କାର୍ଯ୍ୟକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି। ସେ ପ୍ରଶାସନିକ ସେବାରୁ ଇସ୍ତଫା ଦେଇଥିଲେ ହେଁ ଏଯାଏ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇ ନାହିଁ।

ବରିଷ୍ଠ ଅଧିକାରୀମାନେ ଫୈଜଲଙ୍କୁ ପୁଣି ପ୍ରଶାସନିକ କାର୍ଯ୍ୟରେ ଯୋଗଦେବାକୁ କହିଛନ୍ତି। ସେ ମଧ୍ୟ ଏଥିରେ ହଁ ଭରିଥିବା ଜଣାପଡ଼ିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫୈଜଲ ଇସ୍ତଫା ଦେଇ ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭମେଣ୍ଟ ନାଁରେ ଗୋଟିଏ ରାଜନୀତିକ ଦଳ ଗଠନ କରିଥିଲେ। ତଥାପି ଆଜି ଯାଏ ତାଙ୍କ ନାଁକୁ ଜମ୍ମୁ-କଶ୍ମୀର ଆଇଏଏସ କ୍ୟାଡର ତାଲିକାରୁ ହଟା ଯାଇ ନାହିଁ।

ଏହି ଖବର ପରେ ଫୈଜଲ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରୁ ନିଜ ରାଜନୀତିକ ତଥ୍ୟକୁ ଡିଲିଟ କରି ଦେଇଛନ୍ତି। ୨୦୧୦ରେ ଫୈଜଲ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍‌ କରିଥିଲେ। ତାଙ୍କୁ ଜମ୍ମୁ-କଶ୍ମୀର କ୍ୟାଡରର ଆଇଏଏସ ମାନ୍ୟତା ମିଳିଥିଲା।

ଜଣେ ନିଷ୍ଠାପର ଓ ସଚ୍ଚୋଟ ଅଫିସର ଭାବେ ଜଣାଶୁଣା ଫୈଜଲ ୨୦୧୮ରେ ଆଇଏଏସ ଚାକିରି ଛାଡ଼ି ରାଜନୀତି ଆଡ଼େ ମନୋବଳାଇ ଥିଲେ। ଶେଷରେ ୨୦୧୯ରେ ସେ ଜମ୍ମୁ-କଶ୍ମୀର ପିପୁଲ୍ସ ମୁଭମେଣ୍ଟ ଗଠନ କରିଥିଲେ।