ଚାଷୀ ଆନ୍ଦୋଳନ: ନିଜକୁ ଗୁଳି କରି ଜୀବନ ହାରିଲେ ଶିଖ ପୂଜକ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନକୁ ବିଭିନ୍ନ ବର୍ଗର ଲୋକ ସମର୍ଥନ କରିବାରେ ଲାଗିଛନ୍ତି। ଦୀର୍ଘ ୨୧ ଦିନ ହେଲା ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ ଜଣାଇ ଜଣେ ଶିଖ ପୂଜକ ଜୀବନ ଦେଇଛନ୍ତି। ହରିଆଣାର କର୍ଣ୍ଣାଲରେ ରହୁଥିବା ଏହି ଶିଖ୍‌ ପୂଜନ ଜଣଙ୍କ ସିଙ୍ଘୁ ସୀମାରେ ହିଁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ସିଙ୍ଘୁ ସୀମାରେ ପହଞ୍ଚିଥିଲେ।

ମୃତ ପୂଜକ ଜଣଙ୍କ ହେଉନ୍ତି ବାବା ରାମ ସିଂହ। ସେ ହରିଆଣାରେ ଏକ ଗୁରୁଦ୍ୱାରାରେ ଧର୍ମ ପ୍ରଚାରକ ଭାବେ କାର୍ଯ୍ୟ କରୁଥିଲେ। ହରିଆଣା ଓ ପଞ୍ଜାବରେ ତାଙ୍କର ଅନେକ ଅନୁଗାମୀ ରହିଛନ୍ତି। ସେ ଅନେକ ଶିଖ ସଂଗଠନର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି।

ତେବେ ୬୫ ବର୍ଷୀୟ ବାବା ରାମ ସିଂହ ନିଜ ପାଖରେ ଥିବା ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ନିକଟରୁ ହାତଲେଖା ସୁଇସାଇଡ ନୋଟ ଜବତ ହୋଇଛି। ଏଥିରେ ସେ ଲେଖିଛନ୍ତି ଯେ ରାସ୍ତାରେ ବସି ରହି ଆନ୍ଦୋଳନ କରୁଥିବା ଚାଷୀଙ୍କ କଷ୍ଟ ଓ ସଂଘର୍ଷକୁ ଦେଖି ମୁଁ ମର୍ମାହତ।

ସେମାନେ ନିଜର ଅଧିକାର ପାଇଁ ଲଢ଼େଇ କରୁଛନ୍ତି। ହେଲେ ସରକାର ସେମାନଙ୍କୁ ନ୍ୟାୟ ଦେଉ ନାହାନ୍ତି। ଏହା ମୋତେ ବ୍ୟଥିତ କରିଛି। ଏହି ସେବକ ଜଣଙ୍କ ସରକାରଙ୍କ ଅନ୍ୟାୟ ଓ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଜୀବନ ଦେଉଛି। ଏହା ସରକାରଙ୍କ ଦମନ ବିରୋଧରେ ଓ ଚାଷୀଙ୍କ ସମର୍ଥନରେ ଗୋଟିଏ ସ୍ୱର ବୋଲି ସେ କହିଛନ୍ତି।

ସେ ନିଜକୁ ଗୁଳି କରିବା ପରେ ପ୍ରଶାସନ ତାଙ୍କୁ ପାନିପତ ସ୍ଥିତ ପାର୍କ ହସ୍ପିଟାଲକୁ ନେଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।