ପୁଣି ହାଥରସରେ ଲଜ୍ଜା: ପ୍ରାଣ ହରାଇଲା ଦୁଷ୍କର୍ମର ଶିକାର ୬ ବର୍ଷର ଶିଶୁକନ୍ୟା

ହାଥରସ: ପୁଣିଥରେ ଉତ୍ତର ପ୍ରଦେଶର ହାଥରସରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ହାଥରସରେ ଜଣେ ୬ ବର୍ଷୀୟ ଶିଶୁକନ୍ୟାକୁ ପଣବନ୍ଦୀ କରି ୧୫ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଛି। ଦୁଷ୍କର୍ମ ପରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହେବାରୁ ତା’କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ୬ ବର୍ଷର ଶିଶୁକନ୍ୟାକୁ ତାଙ୍କର ଜଣେ ସମ୍ପର୍କୀୟ ଆଲିଗଡ଼ ଜିଲ୍ଲା ଇଗଲାସରେ ପଣବନ୍ଦୀ କରି ଗତ ମାସରେ ବାରମ୍ବାର ଦୁଷ୍କର୍ମ କରିଥିଲେ। ସେପ୍ଟେମ୍ବର ୧୭ରେ ସ୍ଥାନୀୟ ଲୋକ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ମିଳିତ ପ୍ରୟାସରେ ଶିଶୁକନ୍ୟାଟିକୁ ସେଠାରୁ ଉଦ୍ଧାର କରାଯାଇଥିଲା।

ଶିଶୁକନ୍ୟାର ବାପାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ସେପ୍ଟେମ୍ବର ୨୧ରେ ଏଫଆଇ ରୁଜୁ କରିଥିଲେ। ଏହାପରେ ପୁଲିସ୍ ୧୫ ବର୍ଷୀୟ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଥିଲା। ଜେରା ବେଳେ ଅଭିଯୁକ୍ତ ଜଣଙ୍କ ତା’ର ଅପରାଧକୁ ସ୍ୱୀକାର କରିଥିଲା।

ପ୍ରଥମେ ନାବାଳିକାଟିକୁ ଆଲିଗଡ଼ର ଜବାହର ଲାଲ ନେହରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତା’ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତା’କୁ ୪ ଦିନ ତଳେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ନାବାଳିକାଟି ଆଖି ବୁଜି ଦେଇଛି।

ଅନ୍ୟପକ୍ଷରେ ପୁଲିସ୍ ଘଟଣାର ଠିକ୍ ଭାବେ ତଦନ୍ତ କରୁ ନଥିବାରୁ ଗାଁ ଲୋକମାନେ ହାଥରସର ମୁଖ୍ୟ ରାସ୍ତାରେ ନାବାଳିକାର ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଇଗଲାସ ଏସଏଚ୍ଓ ନିଲମ୍ବିତ ନ ହେବା ଯାଏ ଝିଅର ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ପରିବାର ଲୋକ ଦାବି କରିଥିଲେ।

ପୀଡ଼ିତାଙ୍କ ବାପା କହିଛନ୍ତି, ମୋର ଆଉ ଗୋଟିଏ ଝିଅକୁ ମଧ୍ୟ ତାଙ୍କ ସମ୍ପର୍କୀୟ ଆଣ୍ଟିଙ୍କ ଘରେ ପଣବନ୍ଦୀ କରି ରଖାଯାଇଛି। ପୁଲିସ୍ ବର୍ତ୍ତମାନ ଭୁଲ ଲୋକଙ୍କୁ ଗିରଫ କରି ଘଟଣାକୁ ରଫାଦଫା କରିବାକୁ ଚାହୁଁଛି। ସ୍ଥିତି ବିଗୁଡ଼ୁଥିବାରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାଇଥିଲେ।

ଏହାପରେ ସେମାନେ ଝିଅର ଅନ୍ତିମ ସଂସ୍କାର କରିଛନ୍ତି। ଏସଏସପି କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ ଇଗଲାସ ଏସ୍ଏଚ୍ଓଙ୍କୁ ନିଲମ୍ବିତ କରାଯାଇଛି। ପଣବନ୍ଦୀ ଥିବା ଅନ୍ୟ ଝିଅଟିକୁ ଠାବ କରିବା ପାଇଁ ଦୁଇଟି ଟିମ୍‌ ଗଠନ କରାଯାଇଛି।

ଏହାପୂର୍ବରୁ ସେପ୍ଟେମ୍ବର ୧୪ରେ ହାଥରସରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କାରାଯାଇଥିବା ଅଭିଯୋଗ ହୋଇଥିଲା। ଗତ ମଙ୍ଗଳବାର ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।