ଟିକା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ସବୁ ଅପେକ୍ଷାରେ ପଡ଼ିବ କି ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତରେ ଆରମ୍ଭ ହୋଇଥିବା ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚି ଯାଇଛି। ଆଉ ମାତ୍ର କିଛି ସପ୍ତାହ ମଧ୍ୟରେ ଭାରତରେ ଏକାଧିକ କରୋନା ଟିକା ଉପଲବ୍ଧ ହେବ। ଏହାପରେ ସମୂହ ଟିକାକରଣ ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଛନ୍ତି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଟିକା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଭାରତ ବାୟୋଟେକ ସେମାନଙ୍କର କରୋନା ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଆବେଦନ କରିଛନ୍ତି। ଟ୍ରାଏଲ ବେଳେ ଏହି ଟିକା ବେଶ ସୁରକ୍ଷିତ ଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଟିକା ପ୍ରସ୍ତୁତକାରୀ କମ୍ପାନୀ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଛନ୍ତି। ଭାରତରେ ୬ଟି ଟିକା କ୍ଲିନିକାଲ ଟ୍ରାଏଲ ଷ୍ଟେଜରେ ରହିଛି। ସେରମର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ ବ୍ୟତୀତ ରୁଷର ସ୍ପୁଟନିକ ଭିର ୩ୟ ପର୍ଯ୍ୟାୟ ଟ୍ରାଏଲ ମଧ୍ୟ ଚଳିତ ବର୍ଷ ଆରମ୍ଭ ହେବ।

ଏହାବାଦ ZY-COV-D, NVX-COV-2373 ଓ HGCO 19 (mRNA vaccine) ଟିକା ମଧ୍ୟ ବିକଶିତ ହେଉଛି। ଏହା ମଧ୍ୟରୁ କିଛି ଟିକା ଆସନ୍ତା ୪ ସପ୍ତାହ ମଧ୍ୟରେ ଅନୁମୋଦନ ପ୍ରାପ୍ତ କରିବାର ସମ୍ଭାବନା ରହିଛି। ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଡିସିଜିଆଇ ନେବ। ତେଣୁ ଆମେ ଏହା ଉପରେ ଅଧିକ କିଛି କହି ପାରିବୁ ନାହିଁ ବୋଲି ସେ କହିଛନ୍ତି।

ଶ୍ରୀ ଭୂଷଣ ଆହୁରି କହିଛନ୍ତି, ଟିକା ପାଇଁ ଲାଇସେନ୍ସ ମିଳିବା କ୍ଷଣି ଟିକାକରଣ ଆରମ୍ଭ କରାଯିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବୟସ୍କଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି। ଏହି ପର୍ଯ୍ୟାୟରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କ ଭଳି ୧ କୋଟି ଲୋକଙ୍କୁ ଟିକା ଦିଆଯିବ। ସେହିପରି ଅର୍ଦ୍ଧସାମରିକ ବାହିନୀ, ପୁଲିସଙ୍କ ଭଳି ୨ କୋଟି ପ୍ରଣ୍ଟ ଲାଇନ ୱାର୍କରଙ୍କୁ ଟିକା ପ୍ରଦାନ କରାଯିବ।

୫୦ ବର୍ଷରୁ ଅଧିକ, ଏକାଧିକ ରୋଗରେ ଆକ୍ରାନ୍ତ ଥିବା ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତ ହୋଇଛି। ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଟିକା ସଂରକ୍ଷଣ, ଟିକାକରଣ ଓ ଏହାର ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।