କଂଗ୍ରେସର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେନି ରାହୁଲ ଓ ସୋନିଆ

ନୂଆଦିଲ୍ଲୀ: ଆଜି ହେଉଛି ଦେଶର ସର୍ବପୂରାତନ ରାଜନୀତିକ ଦଳ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ। ଦଳର ଆଜି ପ୍ରତିଷ୍ଠା ଦିବସ ହୋଇଥିଲେ ହେଁ ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗଦେଇନାହାନ୍ତି। ରାହୁଲ ଓ ସୋନିଆଙ୍କ ଅନୁପସ୍ଥିତିରେ ବରିଷ୍ଠ ନେତା ଏକେ ଆଣ୍ଟୋନି ଏଆଇସିସି ମୁଖ୍ୟାଳୟରେ ଦଳୀୟ ପତାକା ଉତ୍ତୋଳନ କରିଛନ୍ତି।

ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ। ନିକଟରେ କଂଗ୍ରେସର ନେତୃତ୍ୱ ସଙ୍କଟକୁ ନେଇ ସୋନିଆଙ୍କ ପାଖକୁ ଚିଠି ଲେଖିଥିବା ଗୁଲାମ ନବୀ ଆଜାଦ ଓ ଆନନ୍ଦ ଶର୍ମା ମଧ୍ୟ ପ୍ରତିଷ୍ଠା ଦିବସରେ ଯୋଗଦେଇଥିଲେ। ରାଜସ୍ଥାନ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ମଧ୍ୟ ଏଆଇସିସି ମୁଖ୍ୟାଳୟରେ ଉପସ୍ଥିତ ରହିଥିଲେ।

ଅସୁସ୍ଥତା କାରଣରୁ ସୋନିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିବା ବେଳେ ରାହୁଲ ଗାନ୍ଧି ଗତକାଲି ବିଦେଶ ଗସ୍ତରେ ଯାଇଛନ୍ତି। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ପରେ ପ୍ରିୟଙ୍କା ଗାନ୍ଧି ଭଦ୍ରା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସରକାର ଚାଷୀଙ୍କ ସ୍ୱରକୁ ଶୁଣିବା ଦରକାର।

ସେହିପରି ଚାଷୀମାନେ କରୁଥିବା ଆନ୍ଦୋଳନକୁ ରାଜନୀତିକ ଷଡ଼ଯନ୍ତ୍ର ଭାବେ ନାମିତ ନ କରନ୍ତୁ। ଚାଷୀ ଆନ୍ଦୋଳନକୁ ଏପରି କରିବା ଭୁଲ। ଚାଷୀଙ୍କ ବିରୋଧରେ ଏଭଳି ଶବ୍ଦ ପ୍ରୟୋଗ କରିବା ଠିକ ନୁହେଁ। ଚାଷୀଙ୍କ ପାଖରେ ସରକାର ଉତ୍ତରଦାୟୀ। ସରକାର ଚାଷୀଙ୍କ ସହ କଥା ହୁଅନ୍ତୁ ଏବଂ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ।

ଦେଶର ସୀମାକୁ ସୁରକ୍ଷା ଯୋଗାଇ ଦେଉଥିବା ଯବାନମାନେ ଚାଷୀଙ୍କ ପୁଅ। ଏଥିସହ ସରକାର ଚାଷୀମାନେ ଦେଶର ଅନ୍ନଦାତା ବୋଲି ସରକାର ବୁଝିବା ଦରକାର ବୋଲି ସେ କହିଛନ୍ତି।

ଦୀର୍ଘ ୩୩ ଦିନ ହେଲା ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ନିକଟରେ କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ରଦ୍ଦ କରିବାକୁ ସେମାନେ ଆନ୍ଦୋଳନ କରୁଛନ୍ତି। ହେଲେ କେନ୍ଦ୍ର ସରକାର ଏଯାଏ ଏହା ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧିଙ୍କ ଅନୁପସ୍ଥିତି ସମ୍ପର୍କରେ ପ୍ରିୟଙ୍କା ସାମ୍ବାଦିକମାନେ ପଚାରିଥିବା ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି। ରାହୁଲ ଗାନ୍ଧି ରବିବାର ଅପରାହ୍ନରେ ବିଦେଶ ଗସ୍ତରେ ଯାଇଛନ୍ତି। ତେଣୁ ସେ କିଛି ଦିନ ଦଳର କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ। ସେ କୁଆଡ଼େ ଯାଇଛନ୍ତି, ସେକଥା ଦଳ କହିନାହିଁ। କିନ୍ତୁ ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାହୁଲ ଇଟାଲୀର ମିଲାନ ଯାଇଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।