ବୁଧବାର ହସ୍ପିଟାଲରୁ ଡିସଚାର୍ଜ ହେବେ ଗାଙ୍ଗୁଲି

କୋଲକାତା: ଛାତିରେ ଯନ୍ତ୍ରଣା ଅନୁଭବ କରି ଶନିବାର ଠାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି। ସେ ସୁସ୍ଥ ହେଉଥିବାରୁ ତାଙ୍କୁ ବୁଧବାର ଉଡଲ୍ୟାଣ୍ଡସ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଖବର ମିଳିଛି।

ମଙ୍ଗଳବାର ଡା. ଦେବୀ ସେଠୀ ମଙ୍ଗଳବାର ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭେଟିବା ପରେ ମେଡିକାଲ ବୋର୍ଡ ସହ ଆଲୋଚନା କରିବେ। ଏହାପରେ ଡିସଚାର୍ଜ ସମ୍ପର୍କରେ ସେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ମେଡିକାଲ ବୋର୍ଡରେ ୯ ଜଣ ସଦସ୍ୟ ରହିଛନ୍ତି। ସେମାନେ ପ୍ରଥମେ ନିଜ ଭିତରେ ଆଲୋଚନା କରିବେ ଓ ପରିବାର ଲୋକଙ୍କ ମତାମତକ୍ରମେ ଗାଙ୍ଗୁଲିଙ୍କୁ ଆଗକୁ କେଉଁ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବ, ତା’ର ନିଷ୍ପତ୍ତି ନେବେ।

ଶନିବାର ଗାଙ୍ଗୁଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଉଡଲ୍ୟାଣ୍ଡସ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ଏହି ସମୟରେ ଦାଦାଙ୍କ ହୃତପିଣ୍ଡର ତିନୋଟି ଆଟେରୀରେ ବ୍ଲକେଜ ରହିଥିବା ଜଣାପଡ଼ିଛି। ଏହାକୁ ଆଞ୍ଜିଓପ୍ଲାଷ୍ଟି ଦ୍ୱାରା ଚିକିତ୍ସା କରାଯିବ।

ଅନ୍ୟପକ୍ଷରେ ଦାଦା ହସ୍ପିଟାଲରେ ଭର୍ତ୍ତି ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସେଠାରେ ଭେଟିଥିଲେ। ଏଥିସହ ସେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଡାକ୍ତରଙ୍କ ପାଖରୁ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ପରେ ଡାକ୍ତରଙ୍କୁ ମମତା ଧନ୍ୟବାଦ ଦେଇଥିଲେ। ସେହିପରି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ତାଙ୍କ ସ୍ତ୍ରୀ ହସ୍ପିଟାଲକୁ ଯାଇ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ଏମାନଙ୍କ ବ୍ୟତୀତ ସୌରଭଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ଜାଣିବା ପାଇଁ ତାଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲିଙ୍କ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଥା ହୋଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗାଙ୍ଗୁଲିଙ୍କ ସହ କଥା ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।