ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ ବାଲସୁବ୍ରମଣ୍ୟମ

ଚେନ୍ନାଇ: ଦେଶ ତଥା ବିଶ୍ୱର ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ଶେଷକୃତ୍ୟ ଆଜି ସମ୍ପନ୍ନ ହୋଇଛି। ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲା ଥମରାଇପାକ୍କମ ଠାରେ ଥିବା ଗୋଟିଏ ଫାର୍ମରେ ତାଙ୍କର ଶେଷକୃତ୍ୟ ଆୟୋଜିତ ହୋଇଥିଲା। ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ପରିବାର ଲୋକଙ୍କ ଉପସ୍ଥିତିରେ ବାଲସୁବ୍ରମଣ୍ୟମଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଏଥିସହ ଗୋଟିଏ ଯୁଗର ଅନ୍ତ ଘଟିଛି।

ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ଏହି ମହାନ କଣ୍ଠଶିଳ୍ପୀଙ୍କୁ ଅଗଷ୍ଟ ୫ରୁ ହିଁ ଏମଜିଏମ ହେଲଥ କେୟାରେ ଭର୍ତ୍ତି କରାଯାଇଥିଲା। ତେବେ ୭୪ ବର୍ଷୀୟ ବାଲସୁବ୍ରମଣ୍ୟମ ଶୁକ୍ରବାର ମଧ୍ୟାହ୍ନ ୧.୦୪ ମିନିଟ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଅପରାହ୍ନ ୪ଟାରେ ତାଙ୍କ ମରଶରୀରକୁ କୋଦାବକ୍କମର କାମଧର ନଗରରେ ଥିବା ତାଙ୍କ ଘରକୁ ଅଣାଯାଇଥିଲା। ବାଲସୁବ୍ରମଣ୍ୟମ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ହେଁ ତାଙ୍କ ଫ୍ୟାନମାନେ ଏହାକୁ ଭୟ ନ କରି ନିଜର ପ୍ରିୟ କଣ୍ଠଶିଳ୍ପୀଙ୍କୁ ଶେଷ ଦର୍ଶନ କରିଥିଲେ।

ସନ୍ଧ୍ୟା ୮.୩୦ ଯାଏ ଏହି ଠାରେ ମର ଶରୀରକୁ ରଖାଯାଇଥିଲା। ଏହାପରେ ଏହାକୁ ଥମରାଇପାକ୍କମ ସ୍ଥିତ ଫାର୍ମ ହାଉସକୁ ନିଆଯାଇଥିଲା। ଫାର୍ମ ହାଉସରେ ଅନ୍ତିମ ଦର୍ଶନ ପାଇଁ ତାମିଲ ଜଗତର ବହୁ ଅଭିନେତା ଓ ନିର୍ଦ୍ଦେଶକ ଆସିଥିଲେ। ସେହିପରି ତାମିଲନାଡୁ ମନ୍ତ୍ରୀ କେ ପାଣ୍ଡିଆରାଜନ ମଧ୍ୟ ବାଲସୁବ୍ରମଣ୍ୟମକୁ ଅନ୍ତିମ ଦର୍ଶନ କରିଥିଲେ।

ବାଲସୁବ୍ରମଣ୍ୟମ ୧୬ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ୧୯୮୯ ମସିହାରେ ମେନେ ପ୍ୟାର୍ କିୟା ଫିଲ୍ମର ‘ମେରେ ରଙ୍ଗ ମେ’ ଗୀତ ତାଙ୍କୁ ହିନ୍ଦୀ ଫିଲ୍ମରେ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଏହାବ୍ୟତୀତ ସଲମାନ ଖାନଙ୍କ ପାଇଁ ସେ ବହୁ ଫିଲ୍ମରେ କଣ୍ଠଦାନ କରିଥିଲେ। କଣ୍ଠଶିଳ୍ପୀ ଭାବେ ସେ ୬ଟି ଜାତୀୟ ପୁରସ୍କାର ପାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣରେ ବି ସମ୍ମାନିତ କରାଯାଇଛି।