ପୁଣି ଗିରଫ ହୋଇପାରନ୍ତି ସୁବ୍ରତ ରୟ, ସେବି ମାଗିଲା ୬୨,୬୦୦ କୋଟି

ନୂଆଦିଲ୍ଲୀ: ସାହାରା ଗ୍ରୁପ୍‌ର ମୁଖ୍ୟ ସୁବ୍ରତ ରୟ ପୁଣିଥରେ ଗିରଫ ହେବାର ଆଶଙ୍କା ପ୍ରକାଶ ପାଇଛି। ସିକ୍ୟୁରିଟି ଓ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ (ସେବି) ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ସୁବ୍ରତ ରୟଙ୍କ ଠାରୁ ୬୨, ୬୦୦ କୋଟି ଟଙ୍କା ଦାବି କରିଛି। ଯଦି ସୁବ୍ରତ ରୟ ତୁରନ୍ତ ଏହି ଅର୍ଥ ଦେଇପାରିବେ ନାହିଁ, ତା’ହେଲେ ତାଙ୍କ ପାରୋଲ ଅବଧିକୁ ରଦ୍ଦ କରି ଗିରଫ କରାଯାଉ ବୋଲି ସେବି ନିବେଦନ କରିଛି।

ସତ୍ୟପାଠରେ ସେବି କହିଛି ଯେ ସାହାର ଗ୍ରୁପ୍‌ର ଦୁଇଟି କମ୍ପାନୀ ଓ ଏହାର ମୁଖ୍ୟ ସୁବ୍ରତ ରୟଙ୍କ ଉପରେ ସୁଧ ଓ ଋଣକୁ ମିଶାଇ ମୋଟ ୬୨,୬୦୦ କୋଟି ଟଙ୍କା ବାକି ପଡ଼ିଛି। ତାଙ୍କୁ ୮ ବର୍ଷ ତଳେ ୨୫,୭୦୦ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଗ୍ରୁପ ପକ୍ଷରୁ ଟଙ୍କା ଟିଏ ମଧ୍ୟ ଦିଆଯାଇ ନାହିଁ।

୨୦୧୨ରେ ସୁପ୍ରିମକୋର୍ଟ କହିଥିଲେ ଯେ ସାହାରା ଗ୍ରୁପ କମ୍ପାନୀ ସମସ୍ତ ସୁରକ୍ଷା ସମ୍ପର୍କିତ ଆଇନକୁ ଉଲ୍ଲଙ୍ଘନ କରିଥିଲା ଓ ବେଆଇନ ଭାବେ ୩.୫ ବିଲିୟନ ଡଲାର ସଂଗ୍ରହ କରିଥିଲା। କମ୍ପାନୀ କହିଥିଲା ଯେ ଯେଉଁ ଭାରତୀୟମାନେ ବ୍ୟାଙ୍କ ସୁବିଧା ପାଉ ନଥିଲେ, ସେମାନଙ୍କ ଠାରୁ କ୍ୟାଶ ଜରିଆରେ ଟଙ୍କା ଅଣା ଯାଇଥିଲା।

ସାହାରାରେ ପୁଞ୍ଜି ନିବେଶ କରିଥିବା ଲୋକଙ୍କୁ ସେବି ଚିହ୍ନଟ କରିବାରେ ଅକ୍ଷମ ହୋଇଥିଲା। ସାହାରା ମଧ୍ୟ ଲୋକଙ୍କ ଟଙ୍କା ଫେରାଇ ପାରି ନଥିଲା। ଏହି କାରଣରୁ ସୁପ୍ରିମକୋର୍ଟ ସୁବ୍ରତ ରୟଙ୍କୁ ଜେଲକୁ ପଠାଇ ଦେଇଥିଲେ।

ଅନ୍ୟପକ୍ଷରେ ସେବି ଦାବି କରୁଥିବା ଅର୍ଥକୁ ବେଆଇନ କହିଛି ସାହାରା ଗ୍ରୁପ୍। ଗ୍ରୁପ୍ ପକ୍ଷରୁ ଗୋଟିଏ ଇ-ମେଲ କରି କୁହାଯାଇଛି ଯ “ସେବି ବେଆଇନ ଭାବେ ୧୫% ସୁଧ ଲାଗୁ କରିଛି। ଏହା ଏକ ଡବଲ ପେମେଣ୍ଟ ମାମଲା। କାରଣ କମ୍ପାନୀ ପୂର୍ବରୁ ହିଁ ପୁଞ୍ଜିନିବେଶକାରୀଙ୍କୁ ଟଙ୍କା ଫେରସ୍ତ କରିସାରିଛି।

ସୁବ୍ରତ ରୟ ୨ ବର୍ଷ ଜେଲରେ ରହିବା ପରେ ୨୦୧୬ରେ ପାରୋଲରେ ବାହାରକୁ ଆସିଛନ୍ତି। ଦୁର୍ନୀତି ବାବଦକୁ ରୟଙ୍କ କମ୍ପାନୀ ଏଯାଏ ୧୫,୦୦୦ କୋଟି ଟଙ୍କା ଦାଖଲ କରି ସାରିଥିବା ସେବି ସତ୍ୟପାଠରେ କହିଛି। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କେବେ କରିବେ, ସେକଥା ଜଣାପଡ଼ିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।