ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ ଭୁଲ କରିଛନ୍ତି କେନ୍ଦ୍ର ଓ ରାଜ୍ୟ, ସୁପ୍ରିମକୋର୍ଟ ଜାରି କଲେ ନୋଟିସ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ବିଭିନ୍ନ ସ୍ଥାନରେ ଭୋଗୁଥିବା ସମସ୍ୟା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ଏହି ଯନ୍ତ୍ରଣାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିଜ ଆଡ଼ୁ ମାମଲାର ଶୁଣାଣି କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ହ୍ୟାଣ୍ଡେଲ କରିବା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ସରକାର ତ୍ରୁଟି କରିଛନ୍ତି ବୋଲି କୋର୍ଟ କହିଛନ୍ତି। ପ୍ରବାସୀଙ୍କ ପାଇଁ କ’ଣ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି, ସେନେଇ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି।

ଜଷ୍ଟିସ ସଞ୍ଜୟ କିଷନ କାଉଲ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏକାଧିକ ଖବରକାଗଜ ଓ ଗଣାମଧ୍ୟମରେ ପ୍ରବାସୀମାନେ ଭୋଗୁଥିବା ଅନେକ ଯନ୍ତ୍ରଣାଦାୟକ ଖବର ପ୍ରକାଶ କରୁଛନ୍ତି। କେତେବେଳେ ପ୍ରବାସୀ ଶ୍ରମିକମାନେ ଶହଶହ କିମି ରାସ୍ତା ଚାଲୁଛନ୍ତି ତ ଆଉ କେତେବେଳେ ସାଇକେଲରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି।

ବର୍ତ୍ତମାନ ଦେଶରେ ଲକଡାଉନ ଜାରି ରହିଛି। ଏହି ପ୍ରବାସୀ ଶ୍ରମିକମାନେ ଯେଉଁଠାରେ ଫସି ରହିଛନ୍ତି, ସେମାନଙ୍କୁ ସହଯୋଗ କରିବା ଦରକାର। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସେମାନଙ୍କୁ ସହଯୋଗ କରିବା ଦରକାର। କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରବାସୀଙ୍କ ସମସ୍ୟାକୁ ଦୂର କରିବା ଦିଗରେ ନେଇଥିବା ପଦକ୍ଷେପରେ ତ୍ରୁଟି ରହିଥିବା ପରି ମନେହେଉଛି।

ତେଣୁ ସେମାନେ ତୁରନ୍ତ ପ୍ରବାସୀ ଶ୍ରମିକଙ୍କୁ ଯିବା ଆସିବାର ବ୍ୟବସ୍ଥା କରିବା ସହ ମାଗଣାରେ ଖାଇବା ଯୋଗାଇ ଦେବା ଦରକାର। ସେମାନେ ଏଯାଏ କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତା’ର ଜବାବ ଦାଖଲ କରନ୍ତୁ। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର କରାଯିବ।