ସେଣ୍ଟ୍ରାଲ ଭିସ୍ତାରେ ହେବନି କୌଣସି ନିର୍ମାଣ କାମ, କେବଳ ଶିଳାନ୍ୟାସକୁ ଅନୁମତି

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟରେ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ କାମକୁ ନେଇ ଆଜି ସୁପ୍ରିମକୋର୍ଟ କଡ଼ା ଆପତ୍ତି ଉଠାଇଛନ୍ତି। ଯେଉଁ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହା ଉପରେ ରାୟ ଶୁଣାଇ ନାହାନ୍ତି, ସେ ଯାଏ କୌଣସି ନିର୍ମାଣ କାମ ବା ଉଚ୍ଛେଦ କାମ ହୋଇପାରିବ ନାହିଁ। କୋର୍ଟ ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ ସଲିସିଟର ଜେନେରାଲ କେକେ ଭେନୁଗୋପାଳଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ପ୍ରେସ ରିଲିଜ୍‌ ଦ୍ୱାରା ନିର୍ମାଣ ତାରିଖ କେମିତି ଧାର୍ଯ୍ୟ […]

ds

ds

Hemant Lenka
  • Published: Monday, 07 December 2020
  • Updated: 07 December 2020, 12:49 PM IST

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟରେ ହେବାକୁ ଥିବା ନୂଆ ସଂସଦ ଭବନର ନିର୍ମାଣ କାମକୁ ନେଇ ଆଜି ସୁପ୍ରିମକୋର୍ଟ କଡ଼ା ଆପତ୍ତି ଉଠାଇଛନ୍ତି। ଯେଉଁ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଏହା ଉପରେ ରାୟ ଶୁଣାଇ ନାହାନ୍ତି, ସେ ଯାଏ କୌଣସି ନିର୍ମାଣ କାମ ବା ଉଚ୍ଛେଦ କାମ ହୋଇପାରିବ ନାହିଁ।

କୋର୍ଟ ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ ସଲିସିଟର ଜେନେରାଲ କେକେ ଭେନୁଗୋପାଳଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ପ୍ରେସ ରିଲିଜ୍‌ ଦ୍ୱାରା ନିର୍ମାଣ ତାରିଖ କେମିତି ଧାର୍ଯ୍ୟ କରିନେଲେ? ଆପଣଙ୍କୁ ମନେ ରଖିବା ଦରକାର ଯେ ସୁପ୍ରିମକୋର୍ଟ ଏଯାଏ ଏହା ବିରୋଧରେ ହୋଇଥିବା ମାମଲାରେ କୌଣସି ରାୟ ଦେଇନାହାନ୍ତି। ରାୟ ପ୍ରକାଶ ନ ପାଇବା ଯାଏ କୌଣସି କାମ ହୋଇପାରିବ ନାହିଁ। ଶିଳାନ୍ୟାସ କଲେ ଆମର କିଛି ସମସ୍ୟା ନାହିଁ। କିନ୍ତୁ ଆଗକୁ ଯେମିତି ନିର୍ମାଣ କାମ ହେବନି, ତା’କୁ ଆପଣ ମନେ ରଖନ୍ତୁ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଏଭଳି ଆଭିମୁଖ୍ୟ ଦେଖି ସରକାର ମଧ୍ୟ କେବଳ ଶିଳାନ୍ୟାସ ହେବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଆପଣମାନେ ନିଜ ଇଚ୍ଛାରେ ଶିଳାନ୍ୟାସ ଓ ପେପର ୱର୍କ କରିପାରିବେ। ହେଲେ ଆପଣ କୌଣସି ନିର୍ମାଣ, ଉଚ୍ଛେଦ କିମ୍ବା ଗଛ କାଟି ପାରିବେ ନାହିଁ।

ଆମେ ଭାବୁଥିଲୁ ଆପଣ କେବଳ ପେପର ୱର୍କ କରୁଛନ୍ତି। ହେଲେ ଆପଣ ଏବେ ନିର୍ମାଣ କାମ ଆରମ୍ଭ କରିବାକୁ ଯାଉଛନ୍ତି। ନିର୍ମାଣ କାମ ଉପରେ କୌଣସି ବିଧିବଦ୍ଧ ରୋକ ଲାଗିନି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ସେଠାରେ ନିର୍ମାଣ କାମ ଆରମ୍ଭ କରିଦେବେ। ଆମେ ଭାବୁଥିଲୁ ଆପଣ ଆମକୁ ସହଯୋଗ କରୁଛନ୍ତି ଓ ନିଜର ମତ ଉପସ୍ଥାପନ କରୁଛନ୍ତି। ହେଲେ ଆପଣ ସେଠାରେ ନିର୍ମାଣ କାମ ଆରମ୍ଭ କରୁଥିବା ଖବର ଆମ ପାଖରେ ପହଞ୍ଚିଛି। ଏହା ଆଦୌ ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି।

ଏହାଶୁଣି ଆଟର୍ଣ୍ଣି ଜେନେରାଲ ଜବାବ ଦାଖଲ ପାଇଁ ସମୟ ମାଗିଥିଲେ। ହେଲେ କୋର୍ଟ ୫ ମିନିଟ୍‌ ମଧ୍ୟରେ ଜବାବ ଦେବାକୁ କହିଥିଲେ। ଯଦି ଆପଣ ଉତ୍ତର ନ ଦେବେ, ତା’ହେଲେ ଆମେ ଅର୍ଡର ପାସ୍‌ କରଦେବୁ ବୋଲି ବିଚାରପତି କହିଥିଏ। ଏଥିରେ ସାମାନ୍ୟ ବିଚଳିତ ହୋଇ ଆଟର୍ଣ୍ଣି ଜେନେରାଲ କହିଥିଲେ, “ସେଠାରେ କୌଣସି ପ୍ରକାରର ନିର୍ମାଣ, ଉଚ୍ଛେଦ କିମ୍ବା ଗଛ କଟା ଯାଉନାହିଁ। କେବଳ ଶିଳାନ୍ୟାସ କରାଯାଉଛି।”

ପରିବେଶ ସୁରକ୍ଷା ଦୃଷ୍ଟିରୁ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ହେବାକୁ ଥିବା କାମ ଗୁଡ଼ିକୁ ଏକାଧିକ ପିଟିସନ ଦ୍ୱାରା ଚ୍ୟାଲେଞ୍ଜ କରାଯାଇଛି। ମୋଟ ୨୦ ହଜାର କୋଟି ଟଙ୍କାର ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ଏକାଧିକ ନିର୍ମାଣ କାମ କରାଯାଉଛି। ଏହା ମଧ୍ୟରେ ସଂସଦର ନୂଆ ଭବନ ସହ ରାଷ୍ଟ୍ରପତି ଭବନ ଠାରୁ ଇଣ୍ଡିଆ ଗେଟ୍‌ ଯାଏ ଥିବା ସରକାରୀ ବାସଭବନ ଓ ବିଲଡିଂକୁ ନୂଆ କରି ତିଆରି କରାଯିବାର ଯୋଜନା ରହିଛି।

ଶନିବାର ଲୋକସଭା ବାଚସ୍ପତି ସଂସଦର ନୂଆ ଭବନ ପାଇଁ ୧୦ ତାରିଖରେ ଶିଳାନ୍ୟାସ ହେବ ବୋଲି ଘୋଷଣା କରିଥିଲେ। ଦିନ ୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ଭୂମି ପୂଜନ କରିବେ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ପ୍ରାୟ ୧ ହଜାର କୋଟି ଟଙ୍କାରେ ନୂଆ ସଂସଦ ଭବନ ନିର୍ମାଣ କରିବାକୁ ଯୋଜନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos