ଅଙ୍କିତାଙ୍କ ୪.୫ କୋଟିର ଫ୍ଲାଟ ପାଇଁ ଇଏମଆଇ ଦେଉଥିଲେ ସୁଶାନ୍ତ ସିଂହ ରାଜପୁତ!
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କାର ହେରଫେର ଅଭିଯୋଗର ଖୋଳତାଡ଼ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାତରେ ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ସୁଶାନ୍ତ ସିଂହ ରାଜପୁତ ତାଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ଫ୍ଲାଟର ଇଏମଆଇ ଭରଣ କରୁଥିଲେ।
ଅଙ୍କିତା ମୁମ୍ବାଇର ମଲାଡରେ ଗୋଟିଏ ଫ୍ଲାଟରେ ରହୁଛନ୍ତି। ଏହାର ମୂଲ୍ୟ ୪.୫ କୋଟି। ଏହି ଫ୍ଲାଟ ପାଇଁ ସୁଶାନ୍ତ ହିଁ ଇଏମଆଇ ଦେଉଥିଲେ। ଇଡି ସୁଶାନ୍ତଙ୍କ ଆକାଉଣ୍ଟ ଯାଞ୍ଚ କରୁଥିବା ବେଳେ ଗୋଟିଏ ଫ୍ଲାଟ ବାବଦରେ ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା କଟୁଥିବା ଜାଣିବାକୁ ପାଇଛି।
ଖୋଳତାଡ଼ ବେଳେ ଜଣାପଡ଼ିଛି ଯେ ସୁଶାନ୍ତ ଯେଉଁ ଫ୍ଲାଟ ପାଇଁ ଟଙ୍କା ଦେଉଥିଲେ ସେଠାରେ ଅଙ୍କିତା ରହୁଛନ୍ତି। ଦୀର୍ଘ ୬ ବର୍ଷ ଧରି ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଜାରି ରହିଥିଲା। ଉଭୟ ୨୦୧୬ରେ ଅଲଗା ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା। ଇଡି ସୂତ୍ରରୁ ଇଣ୍ଡିଆ ଟୁଡେ ଏହି ଖବର ପାଇବା ପରେ ଅଙ୍କିତାଙ୍କୁ ଏହା ଉପରେ ପ୍ରତିକ୍ରିୟା ମାଗିଥିଲା। କିନ୍ତୁ ଅଙ୍କିତା ଏଯାଏ ଏହାର ଉତ୍ତର ଦେଇ ନାହାନ୍ତି।
#JusticeForSushantSinghRajput #CBIforSSR pic.twitter.com/h2ORNB9UaP
— Ankita lokhande (@anky1912) August 13, 2020
ଇଡି ସୂତ୍ରରୁ ଆହୁରି ଖବର ମିଳିଛି ଯେ ସୁଶାନ୍ତଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଜେରା ବେଳେ ଏକଥା କହିଛନ୍ତି। ସେ ଇଡି ଅଧିକାରୀମାନଙ୍କୁ କହିଛନ୍ତି ଯେ ସୁଶାନ୍ତ ହିଁ ଅଙ୍କିତାଙ୍କ ଫ୍ଲାଟ ପାଇଁ ଇଏମଆଇ ଦେଉଥିଲେ। ତଥାପି ସେ ଅଙ୍କିତାଙ୍କୁ କେବେ ହେଲେ ଫ୍ଲାଟ ଖାଲି କରିବାକୁ କହି ପାରୁ ନଥିଲେ।
ଅନ୍ୟପକ୍ଷରେ କିଛି ବର୍ଷ ତଳେ କିଣା ଯାଇଥିବା ଏହି ଫ୍ଲାଟ ପାଇଁ କେତେ ଟଙ୍କା ଦିଆଯାଇଥିଲା ସେକଥା ଜଣାପଡ଼ି ନାହିଁ। କିନ୍ତୁ ଏବେ ମାତ୍ର କିଛି ଇନଷ୍ଟଲମେଣ୍ଟ ପେଣ୍ଡିଂ ରହିଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ଗୋଟିଏ ଆକାଉଣ୍ଟରୁ ପ୍ରତି ମାସରେ ଇଏମଆଇ ପାଇଁ ଟଙ୍କା କଟୁଥିବା ତଥ୍ୟ ଇଡି ହାତରେ ଲାଗିଛି।
ଏବେ ଇଡି ଉକ୍ତ ଫ୍ଲାଟ ସମ୍ପର୍କରେ ବିସ୍ତୃତ ତଥ୍ୟ ଓ ପଞ୍ଜୀକରଣ ବାବଦରେ ଖୋଳତାଡ଼ ଆରମ୍ଭ କରିଛି। ଖୁବଶୀଘ୍ର ଇଡି ଅଙ୍କିତାଙ୍କୁ ମଧ୍ୟ ଜେରା ପାଇଁ ଡାକିବାର ସମ୍ଭାବନା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।