କାଲିଠୁ ମୋଦିଙ୍କ ଦ୍ୱିତୀୟ ଇନିଂସ, ମନ୍ତ୍ରିମଣ୍ଡଳକୁ ନେଇ ସସପେନ୍ସ ଜାରି

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ କେନ୍ଦ୍ରରେ ଆରମ୍ଭ ହେବ ମୋଦିଙ୍କ ନେତୃତ୍ୱାଧୀନ ‘ଏନ୍‌ଡିଏ-ଦୁଇ’ ସରକାରର ଶାସନ। ପ୍ରଚଣ୍ଡ ଜନମତ ପାଇ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆସନ୍ତାକାଲି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ମୋଦିଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇବେ। ଏହି ଶପଥ ଉତ୍ସବକୁ ଏକ ଐତିହାସିକ ବିଜୟୋତ୍ସବ ଭାବେ ପାଳନ […]

pp

Hemant Lenka
  • Published: Wednesday, 29 May 2019
  • , Updated: 29 May 2019, 10:38 PM IST

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ କେନ୍ଦ୍ରରେ ଆରମ୍ଭ ହେବ ମୋଦିଙ୍କ ନେତୃତ୍ୱାଧୀନ 'ଏନ୍‌ଡିଏ-ଦୁଇ' ସରକାରର ଶାସନ। ପ୍ରଚଣ୍ଡ ଜନମତ ପାଇ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆସନ୍ତାକାଲି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହେବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ମୋଦିଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇବେ। ଏହି ଶପଥ ଉତ୍ସବକୁ ଏକ ଐତିହାସିକ ବିଜୟୋତ୍ସବ ଭାବେ ପାଳନ କରିବା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ମୋଦି ସରକାର ‘ପ୍ରଥମେ ପଡ଼ୋଶୀ ’ ନୀତିକୁ ଗୁରୁତ୍ୱ ଦେଇଛନ୍ତି। ଏହି ଶପଥପାଠ ଉତ୍ସବରେ ଦେଶ ବିଦେଶର ପ୍ରାୟ ୮ ହଜାର ଅତିଥି ଯୋଗଦେବେ। ପାକିସ୍ତାନକୁ ଛାଡ଼ି ଅନ୍ୟ ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି। ମୋଦି ଆସନ୍ତାକାଲି ସକାଳ ୭.୧୫ରେ ରାଜଘାଟ ଯିବେ। ସେଠାରେ ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସକାଳ ୭.୩୦ରେ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ସ୍ଥଳ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଓ ସକାଳ ୭.୪୫ରେ ଜାତୀୟ ଯୁଦ୍ଧ ସ୍ମାରକୀ ଠାରେ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ।

ଆସନ୍ତାକାଲି ମୋଦିଙ୍କ ଦ୍ୱିତୀୟ ଇନିଂସର ଆରମ୍ଭ ପାଇଁ ଆଜିଠାରୁ କସରତ ଆରମ୍ଭ ହୋଇଛି। ସନ୍ଧ୍ୟା ୭ଟାରେ ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବେ। ଗତଥର ଭଳି ପ୍ରଧାନମନ୍ତ୍ରୀ ଏଥର ବି ବିଭିନ୍ନ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଛନ୍ତି। ଏଥର ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, କିରଗିଜସ୍ଥାନ, ମାଳଦ୍ୱୀପ ଭଳି ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଉତ୍ସବରେ ସାମିଲ ହେବା ଲାଗି ସହମତି ପ୍ରଦାନ କରିସାରିଛନ୍ତି। ସେହିଭଳି ଆଉ କିଛି ଦେଶର ପ୍ରତିନିଧି ମଧ୍ୟ ଉତ୍ସବରେ ଉପସ୍ଥିତ ରହିବେ। ୨୦୧୪ରେ ମୋଦି ସାର୍କ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଥିଲେ। ଏଥର ବିମଷ୍ଟେକ୍‌ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି। ଗତଥର ମୋଦିଙ୍କ ଶପଥ ଉତ୍ସବରେ ୫ ହଜାର ଅତିଥି ଯୋଗଦେଇଥିଲେ। ଏଥର କିନ୍ତୁ ଏହା ୮ ହଜାରରେ ପହଞ୍ଚିବ। ବିଦେଶ ରାଷ୍ଟ୍ରମୁଖ୍ୟଙ୍କ ବ୍ୟତୀତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ବି ନିମନ୍ତ୍ରଣ ଦିଆଯାଇଛି। ବିଜେପି ଶାସିତ ଅଧିକାଂଶ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଆନ୍ଧ୍ରପ୍ରଦେଶର ଭାବୀ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ପ୍ରମୁଖ ଉତ୍ସବରେ ସାମିଲ ହେବା ନେଇ ସୂଚନା ମିଳିଛି।

ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୟୁ-ଟର୍ଣ୍ଣ ନେଇଛନ୍ତି। ଗତକାଲି ସେ ମୋଦିଙ୍କ ଶପଥପାଠ ଉତ୍ସବରେ ଯୋଗଦେବେ ବୋଲି କହିଥିଲେ। ହେଲେ ଆଜି ସେ ନିଜ ମତ ପରିବର୍ତ୍ତନ କରିଛନ୍ତି। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥପାଠ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ ମୋଦିଙ୍କ ଶପଥ ପାଠ ଉତ୍ସବରେ ଯୋଗଦେବେ। ରାଜନେତାଙ୍କ ବ୍ୟତୀତ ବହୁ ଶିଳ୍ପପତି ଓ ବ୍ୟବସାୟୀ ମଧ୍ୟ ମୋଦିଙ୍କ ଶପଥ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

କାହାକୁ ମିଳିବ ସୁଯୋଗ, କିଏ ହେବେ ବିଦା

ପ୍ରଶ୍ନ ହେଉଛି, ମୋଦିଙ୍କ ମନ୍ତ୍ରିମଣ୍ଡଳର ଆକାର କ’ଣ ରହିବ? କେଉଁମାନଙ୍କୁ ମିଳିବ ସୁଯୋଗ ଏବଂ କେଉଁମାନଙ୍କୁ ବାଦ୍‌ ଦିଆଯିବ, ତା’କୁ ନେଇ ଏବେ ବି ସସ୍‌ପେନ୍ସ ଜାରି ରହିଛି। ତଥାପି ମୋଦି-୧ରେ ଅର୍ଥମନ୍ତ୍ରୀ ଥିବା ଅରୁଣ ଜେଟଲୀ ଏବଂ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମୋଦି-୨ ସରକାରରେ ମନ୍ତ୍ରୀ ପଦରେ ନ ରହି ପାରନ୍ତି। ଅରୁଣ ଜେଟଲୀ ନିଜ ଆଡୁ ମନ୍ତ୍ରୀପଦ ନ ନେବାକୁ ମୋଦିଙ୍କୁ ଚିଠି ଲେଖି ଜଣାଇ ସାରିଛନ୍ତି। ତଥାପି ତାଙ୍କୁ ବୁଝାଇବାକୁ ଖୋଦ୍‌ ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଘରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି।

ସେହିପରି ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ମନ୍ତ୍ରୀ ପଦ ପାଇବେ ବୋଲି ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଆଗକୁ ମହାରାଷ୍ଟ୍ର, ଝାରଖଣ୍ଡ ଓ ହରିଆଣା ଭଳି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦଳ ରିସ୍କ ନେବାକୁ ଚାହୁଁ ନଥିବା ଜଣାପଡ଼ିଛି। ଏନଡିଏ ମେଣ୍ଟ ସହଯୋଗୀ ଜେଡିୟୁ, ଅକାଳୀ ଦଳ, ଶିବସେନା ଓ ଏଲଜେପିକୁ ମୋଦିଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବ ବୋଲି କୁହାଯାଉଛି। ସେହିପରି ଉତ୍ତରପ୍ରଦେଶରେ ଆପନା ଦଳର ମୁଖ୍ୟ ଅନୁପ୍ରିୟା ପଟେଲ ଏଥର ମୋଦି କ୍ୟାବିନେଟରେ ଯୋଗ ଦେଇପାରନ୍ତି। ପଶ୍ଚିମବଙ୍ଗରେ ବିଜେପିର ଭଲ ପ୍ରଦର୍ଶନ ଦୃଷ୍ଟିରୁ ମନ୍ତ୍ରିମଣ୍ଡଳରେ ରାଜ୍ୟର ପ୍ରାଧାନ୍ୟ ରହିପାରେ। କେନ୍ଦ୍ରମନ୍ତ୍ରୀ ରାଧା ମୋହନ ସିଂହଙ୍କୁ ମନ୍ତ୍ରିମଣ୍ଡଳରେ ଏଥର ସୁଯୋଗ ମିଳି ନପାରେ।

ଓଡ଼ିଶାରୁ କିଏ ହେବେ ମନ୍ତ୍ରୀ

ଏଥର ଓଡ଼ିଶାରୁ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ମନ୍ତ୍ରୀପଦ ବଜାୟ ରଖିପାରନ୍ତି। ନୂଆ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରୁ କେହି ଜଣେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ବୋଲି କୁହାଯାଉଛି। ମୋଦିଙ୍କ ମନ୍ତ୍ରିମଣ୍ଡଳର ୬୫ ଜଣ ସଦସ୍ୟ ରହିବେ। ନୂଆ ବିଜେପି ସାଂସଦଙ୍କ ମଧ୍ୟରୁ ୪୦% ସଦସ୍ୟଙ୍କୁ ମୋଦିଙ୍କ ଟିମ୍‌ରେ ସୁଯୋଗ ମିଳିବ ବୋଲି କୁହାଯାଉଛି। ତେବେ ମନ୍ତ୍ରୀ ତାଲିକା ଘୋଷିତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ ହେବ।

Related story