ଟାଟା ସନ୍ସ ବ୍ୟାଙ୍କ ଆକାଉଣ୍ଟରୁ ୨୦୦ କୋଟି ହ୍ୟାକ୍ କରିବାକୁ ଚେଷ୍ଟା

ମୁମ୍ୱାଇ: ସଲ୍ଟରୁ ସଫ୍ଟଓ୍ୱୟାର ତିଆରି କରୁଥିବା ଅଗ୍ରଣୀ କମ୍ପାନୀ ଟାଟାର ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ କରିବା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ହ୍ୟାକର ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରିବା ପୂର୍ବରୁ ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ୭ ଜଣଙ୍କ ମଧ୍ୟରେ ଜଣେ ଇଣ୍ଡିସଇଣ୍ଡ ବ୍ୟାଙ୍କର କର୍ମଚାରୀ। ଏହି ସମସ୍ତଙ୍କୁ ମଙ୍ଗଳବାର ମୁମ୍ୱାଇର ନାଲାସୋପାରାରୁ ଗିରଫ କରାଯାଇଛି।

ଅଭିଯୁକ୍ତମାନେ ହେଲେ ତସଲିମ ଅନସାରୀ, ଅନନ୍ତ ଘୋଷ, ନାସିମ ସିଦ୍ଦିକି, ଗୁଞ୍ଜୀବ ବାରୟା, ସରୋଜ ଚୌଧୁରୀ, ସତୀଶ ଗୁପ୍ତା ଏବଂ ଆନନ୍ଦ ନାଲୱାଡେ। ତସଲିମ୍ ହେଉଛନ୍ତି ଇଣ୍ଡସଇଣ୍ଡର ବ୍ୟାଙ୍କ କର୍ମଚାରୀ। ଧାରା ୪୨୦ ଏବଂ ୫୧୧ ଅନୁଯାୟୀ ଏହି ୭ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍। ହ୍ୟାକିଂ କରିବାକୁ ଚେଷ୍ଟା କରାଯାଉଥିବା ଟାଟା ସନ୍ସ ଆକାଉଣ୍ଟରେ ୨୦୦ କୋଟି ଟଙ୍କା ଥିଲା। ନାଲାସୋପାରାସ୍ଥିତ ଏକ ସପିଂ ମଲର ପାର୍କିଂ ସ୍ଥାନରେ ସନ୍ଧ୍ୟା ୫ଟା ୩୦ରେ ପୁଲିସ ଏମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ପୁଲିସ ୯ଟି ମୋବାଇଲ୍, ଏକ ଟାବଲେଟ୍ ଏବଂ ଟାଟା ସନ୍ସ ଆକାଉଣ୍ଟ୍ ଷ୍ଟେଟମେଣ୍ଟ ଜବତ କରିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ତିନୋଟି କାରବାରରେ ୧୫୦ କୋଟି ଟଙ୍କା ସ୍ଥାନାନ୍ତର କରିବାକୁ ଯାଉଥିଲେ। ଏହି ଟଙ୍କା ନାଗାଲାଣ୍ଡର ଏକ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥାନ୍ତା। ଏହି ହ୍ୟାକିଂ ଷଡ଼ଯନ୍ତ୍ର ପଛରେ ପୁଲିସ ନାସିମକୁ ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ କରୁଛି। ନାଗାଲାଣ୍ଡରେ ତାଙ୍କର ସମ୍ପର୍କ ଥିଲା। ସେଠାରେ ଯେଉଁବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥାନ୍ତା ତାଙ୍କୁ ୨୦% କମିଶନ ମଧ୍ୟ ଦିଆଯିବ ବୋଲି ଡିଲ୍ ହୋଇଥିବା ସୂଚନା ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।