ମଦ ବଦଳରେ ସାନିଟାଇଜର ପିଇ ଚାଲିଗଲା ୧୦ ଜଣଙ୍କ ଜୀବନ

ପ୍ରକାଶମ: କରୋନା ସଙ୍କଟ ବେଳେ ଆନ୍ଧ୍ର ପ୍ରଦେଶରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମଦ ବଦଳରେ ସାନିଟାଇଜର ପିଇ ୧୦ ଜଣ ପ୍ରାଣ ହରାଇଛନ୍ତି। ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲା ଅନ୍ତର୍ଗତ କୁରିଛେଡୁ ଠାରେ ଏଭଳି ଘଟଣା ଘଟିଛି। ଏହି ୧୦ ଜଣ ବ୍ୟକ୍ତି ସାନିଟାଇଜରରେ ଥଣ୍ଡା ପାନୀୟ ମିଶାଇ ପିଇ କିଛି ଦିନ ହେଲା ପିଉଥିବାରୁ ଗୁରୁବାର ରାତିରେ ୪ ଜଣ ଓ ଶୁକ୍ରବାର ଭୋର ସମୟରେ ଆଉ ୬ ଜଣ ପ୍ରାଣ ହରାଇଛନ୍ତି।

ପୁଲିସର ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ଯୋଗୁ କୁରିଛେଡୁ ଗାଁ ଓ ଏହାର ଆଖପାଖ ଅଞ୍ଚଳରେ କଟକଣା ଲାଗୁ କରାଯାଇଛି। ଏଥିପାଇଁ ୧୦ ଦିନ ହେଲା ମଦ ଦୋକାନ ବନ୍ଦ ରହିଛି। ମଦ ନ ମିଳିବାରୁ କିଛି ରିକ୍ସା ଚାଳକ ଓ ଭିକ୍ଷାବୃତ୍ତି କରୁଥିବା ଲୋକ ମାଗଣାରେ ମେଡିକାଲରେ ମିଳୁଥିବା ସାନିଟାଇଜର ଆଣିଥିଲେ। ଏଥିରେ ଆଲକହଲ ଥିବାରୁ ଏହାକୁ ଥଣ୍ଡା ପାନୀୟରେ ମିଶାଇ ପିଇ ଦେଇଥିଲେ।

କିଛି ଦିନ ହେଲା ସେମାନେ ଏଭଳି କରୁଥିବାରୁ ଗୁରୁବାର ୧୧ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମଦ ବଦଳରେ ସାନିଟାଇଜର ପିଇଥିବା ଜଣେ ବ୍ୟକ୍ତି ଜୀବିତ ଅଛନ୍ତି। ସେ ପୁଲିସ୍‌କୁ ସବୁ କଥା କହିବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଖାଲି ପଡ଼ିଥିବା ସାନିଟାଇଜର ବୋତଲ ଗୁଡ଼ିକୁ ଜବତ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।