ହାଥରସ ଅଭିଯୁକ୍ତଙ୍କ ସପକ୍ଷରେ ଠାକୁର ସଂପ୍ରଦାୟର ଲୋକ: କ୍ୟାମେରା ସାମ୍ନାରେ ଦେଲେ ଖୋଲା ଧମକ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ସପକ୍ଷରେ ବାହାରିଛନ୍ତି ଠାକୁର ସଂପ୍ରଦାୟର ଲୋକ। ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ପୁଲିସ୍ ୪ ଜଣ ଉଚ୍ଚ ଜାତିର ଲୋକଙ୍କୁ ଗିରଫ କରିଛି। ଏବେ ଠାକୁର ସଂପ୍ରଦାୟର ଲୋକମାନେ ୪ ଅଭିଯୁକ୍ତଙ୍କୁ ନ୍ୟାୟ ଦେବା ଦାବିରେ ଖୋଲାଖୋଲି ମେଳି କରିବା ସହ ଧମକ ଦେଇଛନ୍ତି।
ଗତକାଲି ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ଭେଟିଥିଲେ। ଏବେ ଠାକୁର ସଂପ୍ରଦାୟର ଲୋକ କ୍ୟାମେରା ଆଗରେ ଭୀମ ଆର୍ମି ମୁଖ୍ୟଙ୍କୁ ଧମକ ଦେଇଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଠାକୁର ସଂପ୍ରଦାୟର ଲୋକମାନେ ପୁଲିସ୍ ଉପସ୍ଥିତିରେ ମେଳି କରିବା ସହ ଧମକ ଦେଉଥିବା ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ପୁଲିସ୍ ଗତକାଲି ହାଥରସ ଗସ୍ତ କରିଥିବା ଚନ୍ଦ୍ର ଶେଖର ଆଜାଦ ଓ ଅନ୍ୟ ୪୦୦ ଜଣଙ୍କ ନାଁରେ ମାମଲା ଦାଏର କରିଛି। ପୁଲିସ୍ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲେ ମଧ୍ୟ ଏହାକୁ ଚନ୍ଦ୍ର ଶେଖର ଓ ତାଙ୍କ ସମର୍ଥକମାନେ ଉଲ୍ଲଙ୍ଘନ କରିଥିବା ପୁଲିସ୍ କହିଛି।
ତେବେ ଅଭିଯୁକ୍ତଙ୍କ ସପକ୍ଷରେ ପ୍ରାୟ ୫୦୦ ଲୋକ ହାଥରସ ପୀଡ଼ିତାଙ୍କ ଘର ପାଖରେ ମେଳି କରିଥିଲେ ହେଁ ଏହା ବିରୋଧରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଏହି ମେଳି ବେଳେ କିଛି ଲୋକ ଆଜାଦଙ୍କୁ ଧମକ ମଧ୍ୟ ଦେଇଛନ୍ତି। ଅଭିଯୁକ୍ତଙ୍କ ସପକ୍ଷରେ ମେଳି କରିଥିବା ରାଷ୍ଟ୍ରୀୟ ସବର୍ଣ୍ଣ ପରିଷଦର ସଦସ୍ୟମାନେ ପୀଡ଼ିତା ଓ ତାଙ୍କ ପରିବାରକୁ ଆକ୍ଷେପ କରିଛନ୍ତି। ସେମାନେ ମିଥ୍ୟା ଅଭିଯୋଗ କରି ୪ ଯୁବକଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେମାନେ କହିଛନ୍ତି।
ଯୋଗୀ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ ନେଇ ଗତକାଲି ଚନ୍ଦ୍ର ଶେଖର ଆଜାଦ ପ୍ରଶ୍ନ କରିଥିଲେ। ସେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ତଦନ୍ତ କରିବାକୁ କହିଥିଲେ। ଆଜାଦଙ୍କ ଏଭଳି ବୟାନ ଉଚ୍ଚ ଜାତିର ଲୋକଙ୍କୁ ବାଧିଛି। ସେମାନେ ଏହି ପ୍ରସଙ୍ଗରେ ଆଜାଦଙ୍କୁ ଧମକ ଦେଇଛନ୍ତି।
ମେଳିରେ ସାମିଲ ଥିବା ଲୋକମାନେ କ୍ୟାମେରାରେ କହିଛନ୍ତି ଯେ କ’ଣ ଆପଣଙ୍କର(ଆଜାଦ) ସିବିଆଇ ତଦନ୍ତ ଉପରେ ବିଶ୍ୱାସ ନାହିଁ? ଚନ୍ଦ୍ର ଶେଖର ସିବିଆଇକୁ ବିଶ୍ୱାସ କରୁନାହାନ୍ତି। ସେ ଏଠାକୁ ଆସି ରାଜନୀତି କରୁଛନ୍ତି। ଆମକୁ ତାଙ୍କୁ ଥରେ ଭେଟିବାକୁ ଦିଆଯାଉ। ଏହାପରେ ସେ ନିଶ୍ଚିତ ସିବିଆଇ ତଦନ୍ତ ଉପରେ ବିଶ୍ୱାସ କରିବେ।
ଠାକୁରମାନେ ସବୁ ପ୍ରକାରର ସ୍ଥିତିକୁ ମୁକାବିଲା ପାଇଁ ଜନ୍ମ ନେଇଛନ୍ତି। ଏଠାକୁ ଆସନ୍ତୁ। ଆପଣଙ୍କ ବଡ଼ ଭାଇମାନେ ଏଠି ଅପେକ୍ଷା କରିଛନ୍ତି। କିଏ କହିଲା ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇଛି? ୪ ଜଣଙ୍କୁ ଫସାଇବା ପାଇଁ ଏପରି ଅଭିଯୋଗ କରାଯାଉଛି ବୋଲି ସେମାନେ କହିଛନ୍ତି।
ସୌଜନ୍ୟ: ଏନଡିଟିଭି
Watch | Thakur Men's Threats On Camera As They Defend Accused in #Hathras Horror https://t.co/eZnQGVr4Oa pic.twitter.com/zoK4iYPuFf
— NDTV (@ndtv) October 5, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।