ତାତିରେ ବେହାଲ ସାରା ଭାରତ, ଗଲାଣି ୩୦ ଜଣଙ୍କ ଜୀବନ, ଜମ୍ମୁରେ ୪୪ ଛୁଇଁଲା ପାରଦ

ନୂଆଦିଲ୍ଲୀ: ଜୁନ୍‌ ମାସ ଆରମ୍ଭ ହେଲାଣି, କିନ୍ତୁ ଏଯାଏ ମୌସୁମୀର ଦେଖାନାହିଁ। ଭାରତରେ ମୌସୁମୀ କେବେ ପ୍ରବେଶ କରିବ, ସେକଥା ମଧ୍ୟ ପାଣିପାଗ ବିଜ୍ଞାନୀମାନେ ଠିକ୍‌ ଭାବେ ଆକଳନ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ସମଗ୍ର ଭାରତ ତତଲା କଡ଼େଇରେ ଆଉଟୁ ପାଉଟୁ ହେଉଛି। ମୌସୁମୀ ପ୍ରବେଶ କରିବା ଯାଏ ତାତି ବଢ଼ିବ ସିନା କମିବାର ସମ୍ଭାବନା ନାହିଁ। ସମଗ୍ର ଦେଶରେ ଭୀଷଣ ଗରମ ଓ ଲୁ’ ଅନୁଭୂତ ହେଉଛି। କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୫ […]

waq

waq

Hemant Lenka
  • Published: Saturday, 01 June 2019
  • Updated: 01 June 2019, 03:48 PM IST

Sports

Latest News

ନୂଆଦିଲ୍ଲୀ: ଜୁନ୍‌ ମାସ ଆରମ୍ଭ ହେଲାଣି, କିନ୍ତୁ ଏଯାଏ ମୌସୁମୀର ଦେଖାନାହିଁ। ଭାରତରେ ମୌସୁମୀ କେବେ ପ୍ରବେଶ କରିବ, ସେକଥା ମଧ୍ୟ ପାଣିପାଗ ବିଜ୍ଞାନୀମାନେ ଠିକ୍‌ ଭାବେ ଆକଳନ କରିପାରୁ ନାହାନ୍ତି। ଏଭଳି ସ୍ଥିତିରେ ସମଗ୍ର ଭାରତ ତତଲା କଡ଼େଇରେ ଆଉଟୁ ପାଉଟୁ ହେଉଛି। ମୌସୁମୀ ପ୍ରବେଶ କରିବା ଯାଏ ତାତି ବଢ଼ିବ ସିନା କମିବାର ସମ୍ଭାବନା ନାହିଁ।

ସମଗ୍ର ଦେଶରେ ଭୀଷଣ ଗରମ ଓ ଲୁ' ଅନୁଭୂତ ହେଉଛି। କିଛି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଟପିଗଲାଣି। ରାଜସ୍ଥାନର ଗଙ୍ଗାନଗରରେ ସର୍ବୋଚ୍ଚ ତାପମାତ୍ରା ୪୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ ଏହା ସର୍ବାଧିକ। ଓଡ଼ିଶାର ପଶ୍ଚିମ ଭାଗରେ ବି ପାରଦ ୪୫ ଡିଗ୍ରୀ ଉପରେ ରହୁଛି। ପ୍ରବଳ ତାତି ଯୋଗୁ ଏଯାଏ ସମଗ୍ର ଦେଶରେ ୩୦ ଜଣ ପ୍ରାଣ ହରାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୪ ଦିନ ଯାଏ ତାତିରୁ ଦେଶବାସୀଙ୍କୁ ନିସ୍ତାର ମିଳିବ ନାହିଁ। ରାଜସ୍ଥାନରେ ଗତକାଲି ଭଳି ଶନିବାର ମଧ୍ୟ ପ୍ରଚଣ୍ଡ ଖରା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ରାଜସ୍ଥାନ ବ୍ୟତୀତ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଉତ୍ତର କର୍ଣ୍ଣାଟକା, ବିହାର, ମହାରାଷ୍ଟ୍ରରେ ଆସନ୍ତା ୩ରୁ ୪ ଦିନ ଯାଏ ପ୍ରବଳ ତାତି ଅନୁଭୂତ ହେବ।

ଓଡ଼ିଶାରେ ଶୁକ୍ରବାର ତୁଳନାରେ ଶନିବାର ତାତି ସାମାନ୍ୟ ହ୍ରାସ ପାଇଛି। ଶୁକ୍ରବାର ରାତିରେ ସମଗ୍ର ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହେବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି। ତଥାପି ଦିନେ ଦୁଇଦିନ ପରେ ପୁଣି ଓଡ଼ିଶାକୁ ତାତି ଫେରିବ ବୋଲି ବିଭାଗ ଆକଳନ କରିଛି।

ଜମ୍ମୁ-କଶ୍ମୀର ଓ ହିମାଚଳରେ ସବୁ ବର୍ଷ ଏହି ସମୟରେ ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଏନାହିଁ। ଏହି ଦୁଇ ଅଞ୍ଚଳରେ ପ୍ରାୟତଃ ଥଣ୍ଡା ଅନୁଭୂତ ହୁଏ। କିନ୍ତୁ ଚଳିତ ବର୍ଷ ଜମ୍ମୁରେ ପାରଦ ୪୪ ଡିଗ୍ରୀ ଛୁଇଁଛି। ଶୁକ୍ରବାର ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ହିମାଚଳ ପ୍ରଦେଶର ଉନାରେ ସର୍ବୋଚ୍ଚ ତାପମାତ୍ରା ୪୪.୭ ଡିଗ୍ରୀ ରହିଥିଲା। ଏପରି କି ଡେରାଡୁନ୍‌ରେ ମଧ୍ୟ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା।

ଅନ୍ୟପକ୍ଷରେ, ସମଗ୍ର ଦେଶରେ ଜାରି ରହିଥିବା ହିଟ୍‌ୱେଭ୍‌ କାରଣରୁ ଏଯାଏ ୩୦ ଜଣଙ୍କ ଜୀବନ ଯାଇଛି। ତେଲେଙ୍ଗାନାରେ ସର୍ବାଧିକ ୨୩ ଜଣ ଗତ ୨୩ ଦିନ ମଧ୍ୟରେ ପ୍ରାଣ ହରାଇଛନ୍ତି। ସେହିପରି ଆନ୍ଧ୍ରରେ ୩ ଜଣଙ୍କ ଜୀବନ ଯାଇଛି। ଖରା ଯୋଗୁ ଏହି ଦୁଇ ରାଜ୍ୟରେ ୪୩୩ ଜଣ ଅଂଶୁଘାତର ଶିକାର ହୋଇଛନ୍ତି।

ଏହାପୂର୍ବରୁ ୨୦୧୫ରେ ଭୟଙ୍କର ଲୁ’ ଯୋଗୁ କେବଳ ଆନ୍ଧ୍ର ପ୍ରଦେଶରେ ୧୩୬୯ ଜଣଙ୍କ ଜୀବନ ଯାଇଥିଲା। ତେଲେଙ୍ଗାନାରେ ମଧ୍ୟ୍ୟ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ୫୪୧ କୁହାଯାଇଥିଲା। ଗତବର୍ଷ ମଧ୍ୟ ଏଠାରେ ୨୭ ଜଣଙ୍କ ଗ୍ରୀଷ୍ମ ପ୍ରଵାହ ଯୋଗୁ ମୃତ୍ୟୁ ଘଟିଥିଲା।

ତେଲେଙ୍ଗାନା ଓ ଆନ୍ଧ୍ର ବ୍ୟତୀତ ମହାରାଷ୍ଟ୍ରରେ ଭୟଙ୍କର ଖରା ଯୋଗୁ ଏଯାଏ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେହି କାରଣରୁ ୪୫୬ ଜଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବିଶେଷ କରି ନାଗପୁର ଓ ଆକୋଲାରେ ଅଧିକ ଲୋକ ବର୍ଦ୍ଧିତ ତାପମାତ୍ରା ଦ୍ୱାରା ପ୍ରଭାବିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos