ନୂଆଦିଲ୍ଲୀ: ଆଜି ଅଧା ଭାରତରେ ପ୍ରବଳ ଘୂର୍ଣ୍ଣି ଝଡ଼ ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)। ତେବେ ଏହାର ପ୍ରଭାବ ଗତକାଲିଠାରୁ ଦିଲ୍ଲୀରେ ଦେଖିବାକୁ ମିଳିଛି। ଗତକାଲି ଦିଲ୍ଲୀରେ ୭୦ କିମି ବେଗରେ ପବନ ବହିବା ଆରମ୍ଭ କରିଛି। ଧନଜୀବନ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗତକାଲିଠାରୁ କେତେକ ସ୍କୁଲ କଲେଜ ବନ୍ଦ ରଖାଯାଇଛି। ସେହିପରି ପ୍ରବଳ ଘୂର୍ଣ୍ଣି ଝଡ଼ କାରଣରୁ କ୍ଷୟକ୍ଷତି ଆଶଙ୍କାରୁ ବର୍ତ୍ତିବା ପାଇଁ ମଙ୍ଗଳବାର ଦିଲ୍ଲୀ, ନୋଏଡା, ଗାଜିୟାବାଦ୍, ହରିୟାଣା ଏବଂ ମିରଟରେ କେତେକ ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ପରେ ଏହି ନିଷ୍ପତ୍ତି ନିଆଯାଇଛି। ହରିୟାଣା ସରକାର ୭ ଓ ୮ ତାରିଖ ଦୁଇଦିନ ଧରି ସବୁ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦଶ ଦେଇଛନ୍ତି। ହରିୟାଣାରେ ପ୍ରାୟ ୩୫୦ ଘରୋଇ ଏବଂ ୫୭୫ ସରକାରୀ ସ୍କୁଲ ବନ୍ଦ କରାଯାଇଛି। ରାଜସ୍ଥାନରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ପାଣିପାଗ ବିଭାଗର କହିବା ଅନୁଯାୟୀ, ଦେଶର ୧୩ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି। ଆଗାମୀ ୪୮ ଘଣ୍ଟା ପାଇଁ ପ୍ରବଳବେଗରେ ପବନ ବହିବା ସହ ବର୍ଷାର ହେବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତରଭାରତ ସମେତ, ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନାରେ ଏହାର ପ୍ରଭାବ ଅନୁଭୂତ ହେବ। ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ୪୦ରୁ ୪୪ ଡିଗ୍ରୀ ରହିବ। ଏଠାରେ ସୂଚନାଯୋଗ୍ୟ ଯେ, ଗତ କିଛିଦିନ ମଧ୍ୟରେ ଘୂର୍ଣ୍ଣି ଝଡ଼ ଯୋଗୁଁ ୫ ରାଜ୍ୟରେ ୧୨୪ ଲୋକଙ୍କ ମୃତ୍ୟୁ ଘଟିବା ସହ ୩୫୦ ଜଣ ଆହତ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।