ଡ୍ୟାମ୍‌ ଭୁଶୁଡ଼ି ୬ ମୃତ, ୨୩ ନିଖୋଜ

ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ଏବେ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ୍‌ ଭୁଶୁଡ଼ି ପଡ଼ିଛି। ଏହି ଡ୍ୟାମ ଭୁଶୁଡ଼ିବା ଯୋଗୁ ତଳିଆ ଅଞ୍ଚଳରେ ଥିବା ଅକଲେ, ରିକଟୋଲି, ଓଭାଲି, କାଲକାଭେନ ଓ ନନ୍ଦିଭେସ୍‌ ଭଳି ୭ଟି ଗାଁରେ ବନ୍ୟା ପାଣି ମାଡ଼ି ଯାଇଛି। ଡ୍ୟାମ ଭୁଶୁଡ଼ିବା ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୨୩ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ […]

mumbai-2..

Niharika Rout
  • Published: Wednesday, 03 July 2019
  • , Updated: 03 July 2019, 11:59 AM IST

ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ଏବେ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁ ରତ୍ନଗିରି ଜିଲ୍ଲାରେ ଥିବା ତିୱାରେ ଡ୍ୟାମ୍‌ ଭୁଶୁଡ଼ି ପଡ଼ିଛି। ଏହି ଡ୍ୟାମ ଭୁଶୁଡ଼ିବା ଯୋଗୁ ତଳିଆ ଅଞ୍ଚଳରେ ଥିବା ଅକଲେ, ରିକଟୋଲି, ଓଭାଲି, କାଲକାଭେନ ଓ ନନ୍ଦିଭେସ୍‌ ଭଳି ୭ଟି ଗାଁରେ ବନ୍ୟା ପାଣି ମାଡ଼ି ଯାଇଛି। ଡ୍ୟାମ ଭୁଶୁଡ଼ିବା ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୨୩ ଜଣ ଏବେ ବି ନିଖୋଜ ଅଛନ୍ତି।

ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଥିଲେ ହେଁ ଏଯାଏ ସେମାନଙ୍କର କୌଣସି ପତ୍ତା ମିଳିନାହିଁ। ଡ୍ୟାମ୍‌ ପାଣି ମାଡ଼ି ଯିବା ଯୋଗୁ ବର୍ତ୍ତମାନ ସୁଦ୍ଧା ୧୨ଟି ଘର ଓ ୨୦ଟି ଗାଡ଼ି ପାଣିରେ ସଂପୂର୍ଣ୍ଣ ଭାବେ ଲୀନ ହୋଇଯାଇଛି।

ଏନ୍‌ଡିଆରଏଫ୍‌ ଟିମ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ଓ ଥଇଥାନ କାମ ଆରମ୍ଭ କରିଛି। ଏଥିସହ ସରକାରୀ ଅଧିକାରୀ, ପୁଲିସ୍‌ ଓ ସ୍ୱେଚ୍ଛାସେବୀ ମଧ୍ୟ ବନ୍ୟା ପୀଡ଼ତଙ୍କ ପାଖରେ ପହଞ୍ଚି ସହଯୋଗର ହାତ ବଢ଼ାଇଛନ୍ତି। ଏନଡିଆରଏଫ୍‌ ଟିମ୍‌ ପାଣିରେ ପଶି ନିଖୋଜଙ୍କ ସନ୍ଧାନ କରୁଥିଲେ ହେଁ ସେମାନଙ୍କୁ ରିପୋର୍ଟ ଲେଖାହେବା ଯାଏ ଠାବ କରିପାରିନାହିଁ।

ଏନ୍‌ଡିଆରଏଫ୍‌ ଟିମ୍‌ର ମୁଖପାତ୍ର ଆଲୋକ ଅୱସ୍ତୀ କହିଛନ୍ତି, “ଏବେ ଚାରିଆଡ଼େ କେବଳ ପାଣି। ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହେଉଛି। ଆମେ ଡ୍ରୋନ ଜରିଆରେ ୬ଟି ମୃତଦେହ ଠାବ କରିଛୁ। ହେଲେ ୨୩ ନିଖୋଜଙ୍କ ଏଯାଏ ପତ୍ତା ମିଳିନାହିଁ।”

୧୯ ବର୍ଷ ପୁରୁଣା ଏହି ଡ୍ୟାମରୁ ପାଣି ଲିକ୍‌ କରୁଥିବା ନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ। ହେଲେ ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆଯାଇ ନଥିଲା। ଲଗାଣ ବର୍ଷା ପୂର୍ବରୁ ଏହାକୁ ମରାମତି ମଧ୍ୟ କରାଯାଇ ନଥିଲା। ତେଣୁ ଏଭଳି ଏକ ବଡ଼ ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଟ୍ୱିଟ ଯୋଗେ ଘଟଣା ପାଇଁ ଶୋକ ବ୍ୟକ୍ତ କରିଛନ୍ତି। ଏଥିସହ ସେ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଓ ଏନଜିଓମାନଙ୍କୁ ଘଟଣା ସ୍ଥଳକୁ ଯାଇ ସହଯୋଗ କରିବା ପାଇଁ କହିଛନ୍ତି। କଂଗ୍ରେସ ମଧ୍ୟ ଟ୍ୱିଟ୍‌ ଜରିଆରେ ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛି। ସେହିପରି ନିଖୋଜ ବ୍ୟକ୍ତିମାନେ ସୁରକ୍ଷିତ ଉଦ୍ଧାର ହୁଅନ୍ତୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛି।

Related story