କରୋନା ଟିକାର ପରୀକ୍ଷା ପାଇଁ ଜାଣିଶୁଣି ଲୋକଙ୍କୁ ସଂକ୍ରମିତ କରିବ ଏହି ଦେଶ

ଲଣ୍ଡନ: ଶୀଘ୍ର କରୋନାକୁ ମାତ୍‌ ଦେଇପାରୁ ଥିବା ଟିକା ବାହାର କରିବା ପାଇଁ ଇମ୍ପେରିଆଲ କଲେଜ ଲଣ୍ଡନ ଏକ ଅଭିନଭ ଯୋଜନା ଆପଣାଇବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ବର୍ଷ ପ୍ରଥମ ଭାଗ ସୁଦ୍ଧା ସଂସ୍ଥା ପକ୍ଷରୁ ଜାଣିଶୁଣି ସ୍ୱେଚ୍ଛାସେବୀମାନଙ୍କୁ କରୋନା ଭାଇରସ ଦ୍ୱାରା ସଂକ୍ରମିତ କରାଯିବ। ଏହାପରେ ସେମାନଙ୍କ ଉପରେ ଟିକାର ପରୀକ୍ଷା କରାଯିବ। ଯଦି ପରୀକ୍ଷା ବେଳେ ଏହା ଫଳପ୍ରଦ ହେବ, ତା’ହେଲେ ତୁରନ୍ତ କରୋନା ଟିକା ବଜାରକୁ ଆସିବ ବୋଲି ଇମ୍ପେରିଆଲ କଲେଜ ଲଣ୍ଡନ ପକ୍ଷରୁ ଆଶା କରାଯାଇଛି।

ହ୍ୟୁମାନ ଚ୍ୟାଲେଞ୍ଜ ଟ୍ରାଏଲ ନାମରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ଏକାଧିକ କରୋନା ଟିକାର ପରୀକ୍ଷା ସହଜରେ ହୋଇପାରିବ ଓ ସମୟ ମଧ୍ୟ ବଞ୍ଚିବ। ବର୍ତ୍ତମାନ ବୈଜ୍ଞକମାନେ ସ୍ୱେଚ୍ଛାସେବୀଙ୍କୁ କରୋନା ଟିକା ଦେଇ ଛାଡ଼ି ଦେଉଛନ୍ତି। ଏହାପରେ ସେ ବ୍ୟକ୍ତି ଜଣଙ୍କ କେବେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି ଓ ତାଙ୍କ ଉପରେ ଏହାର ପ୍ରଭାବ କ’ଣ ରହୁଛି, ସେକଥା ଜାଣିବା ପାଇଁ ଅପେକ୍ଷା କରି ରହୁଛନ୍ତି। ଏଥିପାଇଁ ବହୁତ ସମୟ ଲାଗୁଛି।

ତେଣୁ ଜଣେ ବ୍ୟକ୍ତିଙ୍କୁ ହସ୍ପିଟାଲର ଆଇସୋଲେସନରେ କରୋନା ଟିକା ଦିଆଯାଇ, ତା’କୁ ସଂକ୍ରମିତ କଲେ ଶୀଘ୍ର ରେଜଲ୍ଟ ଆସି ପାରିବ ବୋଲି ଇମ୍ପେରିଆଲ କଲେଜ ଲଣ୍ଡନ ଆଶା ରଖିଛି।

ପୂର୍ବରୁ ଥାଇରଏଡ, ହଇଜା ଓ ଅନ୍ୟାନ୍ୟ ରୋଗର ନିରାକରଣ ସମ୍ପର୍କିତ ଟିକା ପାଇଁ ଏଭଳି ଫର୍ମୁଲାକୁ ଆପଣାଇ ସଫଳ ହୋଇଥିଲେ। ଏପରି କି ମ୍ୟାଲେରିଆ ଟିକା ବାହାର କରିବା ପାଇଁ ସ୍ୱେଚ୍ଛାସେବୀଙ୍କୁ ମଶା ଭର୍ତ୍ତି ବକ୍ସରେ ହାତ ପୂରାଇ ରଖିବାକୁ କୁହାଯାଉଥିଲା। ଏହାଦ୍ୱାରା ସେମାନଙ୍କୁ ସଂକ୍ରମିତ କରି ଟିକାର ପରୀକ୍ଷା କରାଯାଉଥିଲା।

ଇମ୍ପେରିଆଲ କଲେଜ ଲଣ୍ଡନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଉତ୍ତର ଲଣ୍ଡନରେ ଥିବା ଗୋଟିଏ ହସ୍ପିଟାଲରେ ଜାନୁଆରୀ ମାସରୁ ଆରମ୍ଭ କରାଯିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।