୪ର୍ଥ ଥର ପାଇଁ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଲେ ଟ୍ରମ୍ପ

ନ୍ୟୁୱର୍କ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ସମାଧାନ କରିବା ପାଇଁ ପୁଣିଥରେ ଆଗ୍ରହ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଲୋଡ଼ା ନଥିବା ଭାରତ ବାରମ୍ବାର କହି ଆସୁଥିଲେ ହେଁ ଟ୍ରମ୍ପ ଆଜି ୪ର୍ଥଥର ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦ୍‌ବୋଧନ ଦେବା ପୂର୍ବରୁ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ “ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହେବା ଦରକାର। ଏହି ସମସ୍ୟାର ସମାଧାନ କରିବାକୁ ମୁଁ ମଧ୍ୟସ୍ଥି ହେବାକୁ ପ୍ରସ୍ତୁତ ରହିଛି। ମୁଁ ଭାବୁଛି ସେମାନେ ମୋ ସହଯୋଗ ଲୋଡ଼ିବେ। ହେଲେ ଏଥିପାଇଁ ଉଭୟ ଦେଶ ରାଜି ହେବା ଦରକାର। ଉଭୟ ରାଷ୍ଟ୍ରଙ୍କର ଭିନ୍ନଭିନ୍ନ ମତ ରହିଛି। ଏ ସମ୍ପର୍କରେ ମଧ୍ୟ ମୁଁ ଅବଗତ ରହିଛି। ତଥାପି ବିବାଦର ସମାଧାନ ପାଇଁ ଉଭୟ ଦେଶ ଆଗେଇ ଆସିବା ଉଚିତ।”
ଏହାପୂର୍ବରୁ ଗତକାଲି ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ବୈଠକ କରିଥିଲେ। ଏହାପରେ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଗ୍ରହୀ ବୋଲି କହିଥିଲେ।  ଜୁଲାଇ ଓ ଅଗଷ୍ଟ ମାସରେ ବି ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି ଥିବା କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।