ସାବରମତୀ ନୋଟ୍‌ରେ ଗାନ୍ଧିଙ୍କ ନାଁ ଉଲ୍ଲେଖ କଲେନି ଟ୍ରମ୍ପ, ମୋଦିଙ୍କୁ ଦେଲେ ଧନ୍ୟବାଦ

ଅହମଦାବାଦ: ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଥମ ମହିଳା ମେଲାନିଆ ଆଜି ପ୍ରସିଦ୍ଧ ସାବରମତୀ ଆଶ୍ରମ ବୁଲି ଦେଖିଥିଲେ। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସଂଘର୍ଷର କାହାଣୀ ଏହି ସାବରମତୀ ଆଶ୍ରମ ମଧ୍ୟରେ ରହିଛି।

ଟ୍ରମ୍ପ ଓ ମେଲାନିଆଙ୍କୁ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ରମ ବୁଲାଇଥିଲେ। ଏପରି କି ଟ୍ରମ୍ପ ଓ ମେଲାନିଆ ଗାନ୍ଧିଙ୍କ ଭଳି ଚରଖା ବୁଲାଇଥିଲେ। ହେଲେ ସାବରମତୀ ଆଶ୍ରମକୁ ଟ୍ରମ୍ପ ଯାହା ପାଇଁ ଯାଇଥିଲେ, ତାଙ୍କ ନାଁ କୌଣସି ନୋଟରେ ଉଲ୍ଲେଖ କରିନାହାନ୍ତି। ମହାତ୍ମା ଗାନ୍ଧିଙ୍କ ନାଁ ନେଇ ନଥିବା ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଓ ଧନ୍ୟବାଦ ଜଣାଇଛନ୍ତି।

ଆଶ୍ରମ ବୁଲି ସାରିବା ପରେ ସାବରମତୀ ନୋଟରେ ଟ୍ରମ୍ପଙ୍କୁ ମତାମତ ଓ ଦସ୍ତଖତ କରିବାକୁ କୁହାଯାଇଥିଲା। ସେ ମଧ୍ୟ ନୋଟରେ କିଛି ଲେଖିବା ସହ ଦସ୍ତଖତ କରିଥିଲେ। ମେଲାନିଆ ଏଥିରେ ଦସ୍ତଖତ କରିଛନ୍ତି।

ଏଥିରେ ଟ୍ରମ୍ପ ଲେଖିଛନ୍ତି ଯେ “ଟୁ ମାଇଁ ଗ୍ରେଟ୍‌ ଫ୍ରେଣ୍ଡ ପ୍ରାଇମମିନିଷ୍ଟର ମୋଦି-ଏଭଳି ସୁନ୍ଦର ଭ୍ରମଣ ଓ ଆଥିତ୍ୟ ପାଇଁ ବହୁତ ବହୁତ ଧନ୍ୟବାଦ।”

ଟ୍ରମ୍ପ ସାବରମତୀ ନୋଟରେ ଗାନ୍ଧିଙ୍କ ନାଁ ଉଲ୍ଲେଖ କରି ନଥିବାରୁ ଏହାକୁ ଅନେକ ବିରୋଧ କରିଛନ୍ତି। ୨୦୧୦ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ସାବରମତୀ ଆଶ୍ରମକୁ ଆସିଥିଲେ। ଏହି ସମୟରେ ସେ ମଧ୍ୟ ସାବରମତୀ ନୋଟ୍‌ରେ ନିଜ ମତ ରଖିଥିଲେ।

ଏଥିରେ ସେ ଲେଖିଥିଲେ ଯେ ଗାନ୍ଧିଜୀଙ୍କ ଜୀବନ ସହ ଜଡ଼ିତ ବିଷୟବସ୍ତକୁ ଦେଖି ପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଗାନ୍ଧି କେବଳ ଭାରତ ପାଇଁ ହିରୋ ନଥିଲେ ବରଂ ସମଗ୍ର ବିଶ୍ୱର ହିରୋ ଥିଲେ।”

ଆଜି ଟ୍ରମ୍ପ ଓ ମୋଦି ସାବରମତୀ ଆଶ୍ରମରେ ଥିବା ଗାନ୍ଧିଙ୍କ ଏକ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏପରି କି ମୋଦି ବୁଲିବା ସମୟରେ ଗାନ୍ଧିଙ୍କ ୩ ମାଙ୍କଡ଼ଗୁଡ଼ିକୁ ଟ୍ରମ୍ପ ଓ ମେଲାନିଆଙ୍କୁ ଦେଖାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।